କରୋନା ଭୟରେ କାରରୁ ଓହ୍ଲାଇଦେଲେ ପରିବାର ଲୋକେ

କରୋନା ଭୟରେ କାରରୁ ଓହ୍ଲାଇଦେଲେ ପରିବାର ଲୋକେ

ନିମାପଡ଼ା: ନିମାପଡ଼ା ବ୍ଲକ ଅରିଷଣ୍ଢ ପଞ୍ଚାୟତ ପଡ଼ା ଗୁଆତିରାକୁ ଫେରିଥିବା ଜଣେ ପ୍ରବାସୀ ଅସୁସ୍ଥ ହୋଇପଡ଼ିବା ପରେ ମେଡିକାଲ ନେବାରେ ଅବହେଳା ଯୋଗୁଁ ପ୍ରାଣ ହରାଇଛନ୍ତି । ପ୍ରଦେଶ କୁମାର ସ୍ୱାଇଁ (୪୦) ନାମକ ଏହି ଯୁବକ ହାଇଦ୍ରାବାଦରୁ କାର ଯୋଗେ ଗ୍ରାମକୁ ଫେରିଥିଲେ । ତେବେ ଅସୁସ୍ଥ ଥିବାରୁ ତାଙ୍କ ପରିବାର ଲୋକ ଚିକିତ୍ସା ପାଇଁ ସନ୍ଧ୍ୟାରେ ତାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲ । କିନ୍ତୁ ସ୍ଥାନୀୟ ହାଟ ବଜାରରେ ଥିବା ଏନଏସିର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ର ନିକଟରେ ପ୍ରଦେଶ ଗୁରୁତର ହୋଇପଡ଼ିଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କାଳେ କରୋନା ହୋଇଥିବ ତାହା ପରିବାର ଲୋକେ ସନେ୍ଦହ କରିଥିଲେ । ତେଣୁ ହସ୍ପିଟାଲ ନେବା ପରିବର୍ତ୍ତେ ପ୍ରଦେଶଙ୍କୁ ସେମାନେ ସେଠାରେ କାରରୁ ଓହ୍ଲାଇ ଦେଇଥିଲେ । ସେ ସେଠାରେ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ରାତି ପ୍ରାୟ ସାଢେ଼ ୧୦ଟା ବେଳକୁ କରୋନା ଆମ୍ବୁଲାନ୍ସ ଆସି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ତେବେ ରାତି ସାଢେ଼ ୧୨ଟାରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । କିନ୍ତୁ ସେ କରୋନାରେ ଆକ୍ରାନ୍ତ ହୋଇନଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରକାଶ କରିଛନ୍ତି ।