ଫନି ପାଇଁ ନବୀନଙ୍କ ୧୬ ଶହ କୋଟିର ପ୍ୟାକେଜ
ଫନି ପାଇଁ ନବୀନଙ୍କ ୧୬ ଶହ କୋଟିର ପ୍ୟାକେଜ
admin
May 12, 2019 - 05:42
Updated: May 12, 2019 - 05:42
ଭୁବନେଶ୍ୱର : ‘ଫନି’ ପ୍ରଭାବିତମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । କୃଷି, ଶିକ୍ଷା, ଜଳସେଚନ, ପ୍ରାଣୀସମ୍ପଦ ଆଦି ବିଭିନ୍ନ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଧ୍ୱସ୍ତ ବିଧ୍ୱସ୍ତ ଜୀବିକାରେ ନୂଆ ଜୀବନ ସଂଚାର ଲାଗି ଆର୍ଥିକ ଏବଂ ବୈଷୟିକ ସହାୟତା ଦିଆଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାର ଇନପୁଟ ସବସିଡ଼ ଦେବେ । ଜଳସେଚିତ ଜମି ପ୍ରତି ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଏବଂ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬୮୦୦ ଟଙ୍କା ମିଳିବ । ଅର୍ଥନୀତିକ ଫସଲ ପାଇଁ ଏକର ପିଛା ୧୮ ହଜାର ଟଙ୍କା ମିଳିବ । ୩୩% ଫସଲ ହାନି ଅଂଚଳରେ ଏହି ସହାୟତା ପ୍ରଦାନ କରାଯିବ ।
ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ଓ ପରୀକ୍ଷା ଫି ଛାଡ଼ କରାଯିବା ସହ ଜଳକର ଓ ଚଳିତ ଆର୍ଥିକ ବର୍ଷର ଖଜଣା ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି ।
ସେହିପରି କୌଣସି ପରିସ୍ଥିତିରେ ସବୁଦିନିଆ ଫସଲ ପାଇଁ କ୍ଷତିଗ୍ରସ୍ତ ଚାଷୀ ଇନପୁଟ ସବସିଡ଼ ବାବଦକୁ ୨ ହଜାର ଟଙ୍କାରୁ କମ ପାଇବେ ନାହିଁ । ଚାଷୀଙ୍କୁ ୧ ଲକ୍ଷ ପନିପରିବା ମିନି କିଟସ ଯୋଗାଇ ଦିଆଯିବ । ପ୍ରଭାବିତ ଅଂଚଳରେ ୫୦ ହଜାର ଏକର ଜମିରେ ବିଭିନ୍ନ ଖରିଫ ଫସଲ ଚାଷ କରାଯିବ ।
ଏହାଛଡ଼ା କ୍ଷତିଗ୍ରସ୍ତ ପାନଚାଷୀମାନଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ମିଳିବ । ଛତୁ ଚାଷୀମାନେ ମଧ୍ୟ ପ୍ରତି ୟୁନିଟ ପିଛା ୪୦ ହଜାର ଟଙ୍କାର ସହାୟତା ରାଶି ପାଇବେ । ୪୦ ହଜାର ୟୂନିଟ ଓ ମହିଳା ଏସଏଚଜିଙ୍କୁ ଏହି ସହାୟତା ମିଳିବ । କଦଳୀ ଚାଷୀମାନଙ୍କୁ ହେକ୍ଟର ପିଛା ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ୧୬୫୦ ହେକ୍ଟର କଦଳୀ ଚାଷ ଉପରେ ଏହି ସହାୟତା ମିଳିବ । ଆଖୁଚାଷୀଙ୍କୁ ମଧ୍ୟ ହେକ୍ଟର ପିଛା ୨୦ ହଜାର ଟଙ୍କା ଲେଖାଏଁ ଦେବେ ସରକାର ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫ ହଜାର ଟଙ୍କା ରିହାତିରେ ୫୦୦ ପମ୍ପସେଟ ମିଳିବ । ୧୦ ହଜାର ସ୍ପ୍ରେୟର ପ୍ରଦାନ କରାଯିବ । ଚାଷୀଙ୍କୁ ସରକାର ଗୁଣାତ୍ମକମାନର ବିହନ ସହ ୧୫୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବଂଟନ କରିବେ । ୫୦ ହଜାର ପ୍ରଭାବିତ ଚାଷୀ ପରିବାରକୁ ୫ଟି ନଡ଼ିଆ ଚାରା ମାଗଣାରେ ବଂଟନ କରାଯିବ ।