ଝରିଗାଁ ଆସନରେ ତ୍ରିମୁଖୀ ଲଢେଇ
ଝରିଗାଁ ଆସନରେ ତ୍ରିମୁଖୀ ଲଢେଇ
admin
Mar 26, 2019 - 05:37
Updated: Mar 26, 2019 - 05:37
ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଝରିଗାଁ ବିଧାନସଭାମଣ୍ଡଳୀ ଏଥର ସମସ୍ତଙ୍କ ଫୋକସରେ ରହିବ । ନୂତନ ସୀମା ନିର୍ଦ୍ଧାରଣ ପରେ ଲଗାତର ଏଠାରେ ଦୁଇଥର ବାଜିମାତ୍ କରିଥିଲେ ମନ୍ତ୍ରୀ ରମେଶ ମାଝୀ । କିନ୍ତୁ ଆଗାମୀ ନିର୍ବାଚନ ଲାଗି ଦଳ ଏଠାରେ ଟିକେଟ ଦେଇନି ରମେଶଙ୍କୁ ।ନବରଙ୍ଗପୁର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି । ଫଳରେ ସାଂସଦ ଥିବା ବଳଭଦ୍ର ମାଝୀ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ ଝରିଗାଁ ନିର୍ବାଚନମଣ୍ଡଳୀର ସବୁ ଅଙ୍କ ବିଗିଡି ଯାଇଛି । ତଥାପି ଏଠାରେ ଏଥର ପ୍ରମୁଖ ୩ ଦଳ ବିଜେଡି , ବିଜେପି ଓ କଂଗ୍ରେସ ମଧ୍ୟରେ ଳଢେଇ ହେବ । କଂଗ୍ରେସରୁ ଉଲ୍ଲଧର ମାଝୀ, ବିଜେଡିରୁ ପ୍ରକାଶ ମାଝୀ ଏବଂ ବିଜେପିରୁ ପର୍ଶୁରାମ ମାଝୀ ଓହ୍ଳାଇଛନ୍ତି ନିର୍ବାଚନ ମୈଦାନକୁ ।
ବିଜେଡି ସବୁବେଳେ ଏଠାରେ କଂଗ୍ରେସ ସହ କଡା ଟକ୍କର ସମ୍ମୁଖୀନ ହୋଉଥିଲା । ରାଜ୍ୟର ତିନି ହେଭିୱଟ୍ ନେତା - ପ୍ରଦୀପ ମାଝୀ , ରମେଶ ମାଝୀ ଓ ବଳଭଦ୍ର ମାଝୀ ଏହି ନିର୍ବାଚନମଣ୍ଡଳୀର । ନବରଙ୍ଗପୁର ଆସନରେ ସେମାନେ ତିନି ଦଳରୁ ପ୍ରତିଦ୍ୱନ୍ଦ୍ୱତା କରୁଥିବାରୁ ଜିଲ୍ଲା ରାଜନୀତିରେ ଝରିଗାଁ ଆସନର ଗୁରୁତ୍ୱ ବଢିଯାଇଛି । ମନ୍ତ୍ରୀ ରମେଶ ୨୦୦୯ ନିର୍ବାଚନରେ ଏହି ଆସନରେ ଜିତିଥିଲେ ମଧ୍ୟ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଜଳନ୍ଧର ମାଝୀ ୨୨ ହଜାର ୨୭୬ ଖଣ୍ଡ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଉଲ୍ଲଧର ମାଝୀ କଡା ଟକ୍କର ଦେଇଥିଲେ । ମାତ୍ର ୧୧ ହଜାର ୧୯୬ ଖଣ୍ଡ ଭୋଟ ଅଧିକ ପାଇ ମନ୍ତ୍ରୀ ଶ୍ରୀ ମାଝୀ ବିଜୟ ଲାଭ କରିଥିଲେ । ଏ ଭିତରେ କଂଗ୍ରେସ ଗଡକୁ ଭାଙ୍ଗିବା ଲାଗି ସମ୍ପୂର୍ଣ୍ଣ ବଳ ଲଗାଇଥିଲେ ମଧ୍ୟ ତାଙ୍କୁ ଝରିଗାଁ ବିଧାନସଭା ଆସନରୁ ଦଳୀୟ ଟିକେଟ ମିଳିଲା ନାହିଁ ।
ଏବେ ଝରିଗାଁ ଆସନ ରହିଛି ଏକ ରୋମାଚଂକର ସ୍ଥିତିରେ । ଏଠାରେ ବିଜେଡି ଆଜି ଆଶାୟୀ ତାଲିକା ଆଗରେ ଥିବା ମନ୍ତ୍ରୀ ରମେଶ ଭାଇ ପ୍ରକାଶ ମାଝୀଙ୍କୁ ଟିକେଟ ଦୋଇଛି । ଅନ୍ୟପଟେ ବିଜେପିର ପୂର୍ବତନ ସାଂସଦର ପର୍ଶୁରାମ ମାଝୀଙ୍କୁ ଝରିଗାଁ ବିଧାନସଭା ଆସନ ଲଢିବାକୁ ଦଳ ଟିକେଟ ଦେଇଛି । ପର୍ଶୁରାମଙ୍କୁ ଟିକେଟ ମିଳିବା ପରେ ବିଜେପିର ଅନ୍ୟ ଆଶାୟୀମାନେ ବିଦ୍ରୋହ ଆରମ୍ଭ କରି ଦେଲେଣି । ପର୍ଶୁରାମଙ୍କ ଝରିଗାଁ ନିର୍ବାଚନମଣ୍ଡଳୀରେ ସେତେଟା ଭଲ ସଂସଗଠନ ନଥିବା କୁହାଯାଇଛି । ତଥାପି ନବରଙ୍ଗପୁର ସାଂସଦ ଟିକେଟରୁ ତାଙ୍କୁ ବଂଚିତ କରାଯାଇଥିବାରୁ କେବେଳ ସନ୍ତୁଷ୍ଟ କରିବା ଲାଗି ଏହି ଆସନରେ ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ହୋଉଛି ।
କଂଗ୍ରେସର ଉଲ୍ଲଧର ଗତ ପାଂଚ ବର୍ଷରେ ତୃଣମୂଳସ୍ତରରେ ନିଜ ସଂଗଠନକୁ ଆହୁରି ଦୃଢ କରିବା ସହ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ଚଳେଇ ଆସିଛନ୍ତି । ତାଙ୍କୁ ଦଳୀୟ ପରିଚୟ ଏହି ଅଂଚଳରେ ଅଧିକ । ନିର୍ମଳ ଭାବମୂର୍ତି ଯୋଗୁଁ ଉଲ୍ଲଧର ସମସ୍ତଙ୍କ ପ୍ରିୟପାତ୍ର । ବିଜେଡିର ଟିକେଟ ବଂଟାରେ ଅଡୁଆ ପରିସ୍ଥିତି ଯୋଗୁଁ ଉଲ୍ଲଧର ଫାଇଦା ଉଠୋଇବେ ବୋଲି ଚର୍ଚ୍ଚା ହୋଇଛି ।