ପେଟ୍ରୋଲ୍‌ ଲାଗି ୬ ଘଣ୍ଟା ଅପେକ୍ଷା, ଚାଲିଗଲା ବୃଦ୍ଧଙ୍କ ଜୀବନ

ପେଟ୍ରୋଲ୍‌ ଲାଗି ୬ ଘଣ୍ଟା ଅପେକ୍ଷା, ଚାଲିଗଲା ବୃଦ୍ଧଙ୍କ ଜୀବନ

ପେଟ୍ରୋଲ୍‌ ଲାଗି ୬ ଘଣ୍ଟା ଅପେକ୍ଷା, ଚାଲିଗଲା ବୃଦ୍ଧଙ୍କ ଜୀବନ

କଲମ୍ବୋ: ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା।  ପେଟ୍ରୋଲ୍‌ ଦର ଆକାଶ ଛୁଆଁ ହୋଇଛି। ଏପରିକି ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ପେଇଟ୍ରୋଲ୍ ମିଳୁନି। କରଜରେ ବୁଡିଛି ଦଶ। ଗୋଟିଏ ଟାଙ୍କିରେ ପେଟ୍ରୋଲ୍‌ ନେବାକୁ ଆସି ୬ ଘଣ୍ଟା ଅପେକ୍ଷା କରିବା ପରେ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ମେଡିକାଲ୍‌ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଏକ ବଡ଼ ଖବର ଆସିଛି ଯେ  ଶ୍ରୀଲଙ୍କା ସରକାରକୁ କାଗଜ କିଣିବାକୁ ମଧ୍ୟ ଟଙ୍କା ନାହିଁ। ଫଳରେ ଦେଶର ବିଦ୍ୟାଳୟମାନଙ୍କରେ ହେବାକୁ ଥିବା ପରୀକ୍ଷା ବାତିଲ କରିଛନ୍ତି ଶ୍ରୀଲଙ୍କା ସରକାର। ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ। ଅଧିକାରୀଙ୍କ କହିବା ମୁତାବକ, ବାହାରୁ ପେପର୍ ଆମଦାନୀ କରିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଟଙ୍କା ନାହିଁ। ଶିକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ମାର୍ଚ୍ଚ ୨୧ ତାରିଖରେ ସ୍କୁଲ ଛାତ୍ରଛାତ୍ରୀଙ୍କର ଟର୍ମ ପରୀକ୍ଷା ହେବାର ଥିଲା। କିନ୍ତୁ ଦେଶରେ କାଗଜର ଘୋର ଅଭାବ ଯୋଗୁଁ ପରୀକ୍ଷାକୁ ଅନିଶ୍ଚିତ କାଳ ପାଇଁ ରଦ୍ଦ କରି ଦିଆଯାଇଛି। ଏନେଇ ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

 ୧୯୪୮ ମସିହାରେ ସ୍ୱାଧୀନ ହେବା ପରଠାରୁ ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବଡ଼ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି। ଦେଶରେ ବିଦେଶୀ ମୁଦ୍ରା ନାହିଁ। ଫଳରେ ପେପର ଓ କାଳି ବାହାରୁ ଆମଦାନୀ କରି ହେଉନାହିଁ। ଯେଉଁଥିପାଇଁ ଅଧିକାଂଶ ସ୍କୁଲର ପ୍ରିନ୍ସିପାଲ ପରୀକ୍ଷା ଆୟୋଜନ କରିପାରୁନାହାଁନ୍ତି। 

ବିଦେଶୀ ମୁଦ୍ରାର ଅଭାବ ଯୋଗୁଁ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଆମଦାନୀ କରି ପାରୁନାହାଁନ୍ତି ଶ୍ରୀଲଙ୍କା ସରକାର। ଶ୍ରୀଲଙ୍କାର ସବୁଠୁ ବଡ ମହାଜନ ସାଜିଥିବା ଚୀନକୁ ଆର୍ଥିକ ସାହାଯ୍ୟ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୁହାରୀ କରିଥିଲେ ବି ଚୀନ ପକ୍ଷରୁ ଏନେଇ କିଛି ବି ପ୍ରତିକ୍ରିୟା ମିଳିନାହିଁ ।