ପାକିସ୍ତାନୀ ‘ଗୁଲାବ’ ବିଶେଷ କ୍ଷତି କଲାନି

ପାକିସ୍ତାନୀ ‘ଗୁଲାବ’ ବିଶେଷ କ୍ଷତି କଲାନି

ପାକିସ୍ତାନୀ ‘ଗୁଲାବ’ ବିଶେଷ କ୍ଷତି କଲାନି


୪୬,୦୭୫ ଜଣଙ୍କୁ ସ୍ଥାନାନ୍ତର

କୋରାପୁଟ, ମାଲକାନଗିରି, ଗଜପତି ପ୍ରଭାବିତ

୪/୫ ଦିନରେ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର: ବାତ୍ୟା ‘ଗୁଲାବ’ (ଗୁଲ୍-ଆବ୍) ବିଶେଷ ପ୍ରଭାବ ପକାଇନାହିଁ ଓଡ଼ିଶାରେ । ଦକ୍ଷିଣ ଓଡ଼ିଶାର ଗଜପତି, ମାଲକାନଗିରି ଓ କୋରାପୁଟକୁ ଛାଡ଼ିଦେଲେ ବାକି ସବୁ ଜିଲ୍ଲାରେ ସାମାନ୍ୟ ପ୍ରକୋପ ଦେଖାଇଛି । ଏମିତିକି ଅଧିକାଂଶ ଜିଲ୍ଲା ଲୋକେ ଜାଣିପାରିଲେନି-ବାତ୍ୟା କେତେବେଳେ ଆସି ପଳାଇଲା । ୨/୩ଟି ଜିଲ୍ଲାରେ କିଛି ଗଛ ଭାଙ୍ଗିଥିବାବେଳେ ଗୋଟିଏ ଦୁଇଟି ଜାଗାରେ ପାହାଡ଼ ଅତଡ଼ା ଖସିଛି । ବଡ଼ କଥା ହେଲା, ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ଖବର ଆସିନାହିଁ ।  ଜିରୋ କାଜୁଆଲିଟି ମିଶନରେ ସଫଳ ହୋଇଛି ଓଡ଼ିଶା ।

  ଏହି ବାତ୍ୟା ଗୁଲାବର ନାମକରଣ କରିଥିଲା ପାକିସ୍ତାନ । ଗୁଲ୍- ଅର୍ଥ ଗୋଲାପ ଓ ଆବ୍- ଅର୍ଥ ଜଳ (ଗୋଲାପ ଜଳ) । ଆଶଙ୍କା କରାଯାଉଥିଲା, ଏହି ବାତ୍ୟା ‘ଗୋଲାପ ଜଳ’ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ବ୍ୟାପକ ପ୍ରଭାବିତ କରିବ । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ରବିବାର ଅପରାହ୍ନରୁ ମଧ୍ୟ ରାତି ପର୍ଯ୍ୟନ୍ତ ପବନ ପ୍ରକୋପ ଅଧିକ ରହିବା ସହ ପ୍ରବଳରୁ ଅତି ପ୍ରବଳ ଆଶଙ୍କା କରାଯାଉଥିଲା । ସର୍ବାଧିକ ୭୫-୮୫ କିମି ପବନ ଓ ଝଟକା ପବନ ୯୫ କିମି ଯାଇପାରେ ବୋଲି ଆକଳନ କରାଯାଇଥିଲା । ଏଥିପାଇଁ ଏସବୁ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା । ଏହାସହ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡିରେ ବି ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । 

  ଆଶ୍ୱସ୍ତିର କଥା ହେଲା, ଗତକାଲି ବାତ୍ୟା ଆନ୍ଧ୍ରର ଶ୍ରୀକାକୁଲମ ପାଖ ଟେକ୍କାଲି ପାଖରେ ସ୍ଥଳଭାଗ ଛୁଇଁଲା । ଏହା କୋରାପୁଟ-ମାଲାକାନଗିରିକୁ ଗତି କରିଲା ସତ, ମାତ୍ର ପ୍ରଭାବ ସେତେ ନଥିଲା । ଅତି ବେଶିରେ ୫୦-୬୦ ପବନ ବହିଥିବାବେଳେ ବର୍ଷା ପ୍ରକୋପ ଆକଳନଠାରୁ କମ୍ ରହିଲା । ଦକ୍ଷିଣ ଓଡ଼ିଶାକୁ ଛାଡ଼ିଦେଲେ ବାକି ସବୁଠି ପ୍ରଭାବ ଜଣାପଡ଼ିଲାନି । 

  ତଥାପି ମାଲକାନଗିରି, କୋରାପୁଟ ଓ ଗଜପତିର କେତେକ ଜାଗାରେ ପ୍ରବଳ ବର୍ଷା ହୋଇଛି । ପବନ ବେଗ ସର୍ବାଧିକ ୫୦-୬୦ କିମି ଥିଲା । ବିଶେଷଜ୍ଞ କହିଛନ୍ତି, ଏହି ପାକିସ୍ତାନୀ ଗୁଲାବ (ଗୋଲାପ ଜଳ) ଓଡ଼ିଶାକୁ ବିଶେଷ ପ୍ରଭାବିତ କରିନାହିଁ । କିଛି ଜାଗାରେ କ୍ଷୟକ୍ଷତି ହୋଇଛି । ଏହି କ୍ଷୟକ୍ଷତି ରିପୋର୍ଟ ୪/୫ ଦିନ ଭିତରେ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ବାତ୍ୟାରୁ ରକ୍ଷା ପାଇଁ ମୋଟ ୪୬ ହଜାର ୭୫ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୫୩୩ଜଣ ଗର୍ଭବତୀଙ୍କୁ ମେଡିକାଲ ନିଆଯାଇଥିଲା ।