ନୂଆ ବର୍ଷରେ ଅଫିସରେ ଏକାଠି ମନା
ନୂଆ ବର୍ଷରେ ଅଫିସରେ ଏକାଠି ମନା
admin
Dec 31, 2020 - 07:41
Updated: Dec 31, 2020 - 07:41
ଭୁବନେଶ୍ୱର: ନୂଆ ବର୍ଷରେ ଅଫିସରେ ଏକାଠି ହେବାକୁ ବାରଣ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା । ନୂଆ ବର୍ଷ ପାଳନ କଟକଣା ନେଇ ସୂଚନା ଦେବା ଅବସରରେ ଏସଆରସି ପ୍ରଦୀପ ଜେନା ଏହା କହିଛନ୍ତି । ପରସ୍ପର ଶୁଭେଚ୍ଛା ଜଣାଇବା ପାଇଁ ଏକାଠି ହେବାକୁ ମନା କରିଛନ୍ତି ଏସଆରସି । କରୋନା ଭୟାବହତା ଦୃଷ୍ଟିରୁ ଏସଆରସି ସମସ୍ତଙ୍କୁ ଅଫିସରେ ଏକାଠି ହେବାକୁ ମନା କରିଛନ୍ତି । ତେବେ ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ ଏସଆରସି ପ୍ରଦୀପ ଜେନା କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ପାଇଁ ନାଇଟ କର୍ଫୁ୍ୟ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସାରା ରାଜ୍ୟରେ ନାଇଟ କର୍ଫୁ୍ୟ ଲାଗୁ ନେଇ ଘୋଷଣା କରାଯାଇଛି । ଏନେଇ ଟ୍ୱିଟ ଯୋଗେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏନେଇ ସହଯୋଗ କରିବାକୁ ଶ୍ରୀ ଜେନା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ତେବେ ନାଇଟ କର୍ଫୁ୍ୟରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଜରୁରୀକାଳୀନ ସାମଗ୍ରୀର ପରିବହନ ମଧ୍ୟ ହୋଇପାରିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱରରେ ଆଜି ଜାରି ହେବ ୧୪୪ ଧାରା । ଜିରୋ ନାଇଟ ଭିଡ଼ ଏଡ଼ାଇବାକୁ ଏହି ୧୪୪ ଧାରା ଜାରି କରାଯିବ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ରାତି ୯ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି । ରାତିରେ ନୂଆବର୍ଷ ଭୋଜି ମଧ୍ୟ ନକରିବାକୁ କମିଶନର ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି । ଆପାର୍ଟମେଣ୍ଟ, ରେସିଡେନସିଆଲ ଏରିଆରେ ମଧ୍ୟ ଭୋଜି ନକରିବାକୁ ପରାମର୍ଶ ଦିଆଯାଇଛି । ଟୁଇନ ସିଟିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ରାସ୍ତାର ବିଭିନ୍ନ ଜାଗାରେ ନାକା ଲଗାଯିବ । ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।