ନବୀନଙ୍କୁ ଉତର : ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ନବୀନଙ୍କୁ ଉତର : ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
admin
Apr 15, 2019 - 03:38
Updated: Apr 15, 2019 - 03:38
ଭୁବନେଶ୍ୱର : ଏଥର ପରିବର୍ତନ ହେବ । ବିଜେପି ସରକାର ଗଢ଼ିବ । ବିଜେପି ଏଭଳି ଦାବି କରୁଥିବାବେଳେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତିକି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ପ୍ରଶ୍ନ କରିଛନ୍ତି । ତେବେ ପରୋକ୍ଷରେ ବିଜେପି ନବୀନଙ୍କ ପ୍ରଶ୍ନର ଉତର ଦେଇଛି । ଧର୍ମେନ୍ଦ୍ର ପ୍ରଧାନ ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କେନ୍ଦ୍ରୀୟ ବିଜେପି ମୋହର ଲଗାଇଛି ।
ନିର୍ବାଚନ ପୂର୍ବରୁ ବିଜେପିରେ ଗଦାଗଦା ମୁଖ୍ୟମନ୍ତ୍ରୀ ଆଶାୟୀ ଥିଲେ । ପରେପରେ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ନେତାମାନେ ବି ଦୌଡ଼ରେ ରହିଥିଲେ । ସେମାନଙ୍କୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଥିଲା । ତେବେ ଅପରାଜିତା ବିଜେପିକୁ ଆସିବା ପରେ ଜୁଏଲ ଓରାମ ହିଁ ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରିଥିଲେ । ଅପରପକ୍ଷରେ ବୈଜୟନ୍ତ ବି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ନିଜର ସମର୍ଥକମାନଙ୍କ ଜରିଆରେ ପ୍ରଚାର ଆରମ୍ଭ କରିଦେଇଥିଲେ । ଏମିତିକି ବୈଜୟନ୍ତଙ୍କ ସମର୍ଥକମାନେ ଧର୍ମେନ୍ଦ୍ର କେନ୍ଦ୍ରାପଡ଼ା ନଆସନ୍ତୁ ବୋଲି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାକୁ ପଛାଇ ନାହାନ୍ତି ।
ଏସବୁ ଭିତରେ ଏବେ ଧର୍ମେନ୍ଦ୍ର ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି ମୋହର ମାରିଥିବା କହିଲେ ଭୁଲ ହେବ ନାହିଁ । ପ୍ରଥମତଃ ବିଜେପିର ଏକମାତ୍ର ନେତା ଭାବେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଧର୍ମେନ୍ଦ୍ର ହିଁ ପ୍ରଚାର କରୁଛନ୍ତି । ରୋଡ଼ଶୋ’ ହେଉକି ସମାବେଶ ସବୁ ଧର୍ମେନ୍ଦ୍ର ହିଁ କରୁଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ନିକଟରେ ଧର୍ମେନ୍ଦ୍ର ୧ ଟଙ୍କାରେ ୫ କିଲୋ ଚାଉଳ, ଅଧ କିଲୋ ଡାଲି ଓ ଅଧା କିଲୋ ଲୁଣ ଦେବେ ବୋଲି ଘୋଷଣା କରିଥିଲେ । ଇସ୍ତାହାରରେ ଏହା ଉଲ୍ଳେଖ ନଥିବାବେଳେ ଧର୍ମେନ୍ଦ୍ରଙ୍କ ଏଭଳି ଘୋଷଣା ଦଳର ଅନେକ ନେତାଙ୍କୁ ଚକିତ କରିଦେଇଥିଲା । କିନ୍ତୁ ସୋମବାର ସମସ୍ତ ଗଣମାଧ୍ୟମରେ ଏନେଇ ବିଜେପି ବିଜ୍ଞାପନ ଦେଇଛି । ମୋଦିଙ୍କ ଫଟୋ ଥିବା ଏହି ବିଜ୍ଞାପନରେ ମହାସଂକଳ୍ପ ବୋଲି ଉଲ୍ଲେଖ କରାଯାଇଛି । ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ସହ କୁପୋଷଣ ବିରୋଧରେ ମହାସଂଗ୍ରାମ ବୋଲି ଲେଖାଯାଇଛି । ଅର୍ଥାତ ଧର୍ମେନ୍ଦ୍ରଙ୍କ ଘୋଷଣା ଉପରେ ନରେନ୍ଦ୍ର ମୋଦି ଓ ଅମିତ ଶାହା ମୋହର ମାରି ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ବିଜେପି ସରକାରକୁ ଆସିଲେ ସବୁ ଏସଏଚଜିମାନଙ୍କର ଋଣ ଛାଡ଼ କରାଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ଖୁବଶୀଘ୍ର ଏହି ବିଜ୍ଞାପନ ବି ଗଣମାଧ୍ୟମରେ ପ୍ରକାଶିତ ହେବବୋଲି ଜାଣିବାକୁ ମିଳିଛି ।