ଧର୍ମେନ୍ଦ-ବବି ‘ନୈତିକତା’ ଯୁଦ୍ଧ
ଧର୍ମେନ୍ଦ-ବବି ‘ନୈତିକତା’ ଯୁଦ୍ଧ
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଥାଇ ବି ଏଯାଏ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନୀତି, ନୈତିକତା କୁଆଡେ଼ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଜବାବରେ ପ୍ରଣବ ବି ଧର୍ମେନ୍ଦ୍ରଙ୍କୁ ନୈତିକତା ପାଠ ପଢ଼ାଇଛନ୍ତି । ବିଜେପି ନେତାଙ୍କୁ ନୈତିକତା ପାଠ ପଢ଼ାଇବାକୁ ପରାମର୍ଶ ଦେଇଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ମମିତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମନ୍ତବ୍ୟ ଓ ଭୂମିକା ସମ୍ବେଦନହୀନ । ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କ ଉପରକୁ ଆଙ୍ଗୁଠି ଉଠିଛି । ହେଲେ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ଚୁପ୍ କାହିଁକି ରହୁଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଉଠିଲେ ବହୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିଦେ୍ର୍ଧଶ ଦେଇଥିବା ନଜିର ରହିଛି । ଏ ଘଟଣାରେ କ’ଣ ପାଇଁ ଡରୁଛନ୍ତି? ଏବେ ନୈତିକତା କୁଆଡେ଼ ଗଲା? ଅତୀତରେ ରେଳ ଦୁର୍ଘଟଣା ପାଇଁ ଲାଲ ବାହାଦୂର ଶାସ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେହିପରି ହାୱାଲା ଅଭିଯୋଗ ଉଠିବା ପରେ ଲାଲକୃଷ୍ଣ ଆଡ଼ଭାନୀ ବିରୋଧୀ ଦଳ ନେତା ପଦ ଛାଡ଼ି ଦେଇଥିଲେ । ଅନେକ ଦଳରେ ଏଭଳି ନୈତିକତା ଉଦାହରଣ ରହିଛି । ମାତ୍ର ବିଜେଡି ଶାସନରେ ଜଣେ ଅଭିଯୁକ୍ତ ମନ୍ତ୍ରୀଙ୍କୁ କିଭଳି ସୁରକ୍ଷା ଦିଆଯାଉଛି ।
ଏହାର କଡ଼ା ଜବାବ ଦେଇ ପାଲଟା ଆକ୍ରମଣ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ (ବବି) । ବବି କହିଛନ୍ତି, ଶାସ୍ତ୍ରିଜୀ ନୈତିକତା ପାଇଁ ଇସ୍ତଫା ଦେଇଥିଲେ ସତ। ହେଲେ ମୋଦି ଶାସନରେ ଯେବେ ବି ରେଳ ଦୁର୍ଘଟଣା ଘଟିଛି, କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏବେ କ’ଣ ନୈତିକତା ନାହିଁ? ବିଜେପି ଆମକୁ ନୈତିକତା କଥା କହୁଛି । ହେଲେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ ୭ଜଣ ଚାଷୀଙ୍କୁ ମାରିଦେଲେ । ସେଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଲା । ତେଣୁ ଧର୍ମେନ୍ଦ୍ର ଭାଇ ସମୟ ପାଇଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତା ପାଠ ଶିଖାନ୍ତୁ । ବିଜେପି ନେତା ବି ସ୍ୱୀକାର କରୁଛନ୍ତି, ଅତୀତରେ ଯେବେ ଅଭିଯୋଗ ଆସିଛି, ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ବି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏବେ ବି ନେଉଛନ୍ତି । ଲୋକେ ଏକଥା ଭଲଭାବେ ଜାଣିଛନ୍ତି । ସେ ଆହୁରି କହିଛନ୍ତି, ମିଛ ଅଭିଯୋଗ କରିବା ବନ୍ଦ କରି ଯଦି ପ୍ରମାଣ ଅଛି, କୋର୍ଟରେ କିମ୍ବା ପୁଲିସ ନିକଟରେ ଦାଖଲ କରନ୍ତୁ । ମୁଖ୍ୟମନ୍ତ୍ରୀ ଦୋଷୀଙ୍କୁ ବାନ୍ଧି ଜେଲରେ ଭର୍ତ୍ତି କରାଇବେ ।
ବବିଙ୍କ ଏଭଳି କଡ଼ା ଜବାବର ପୁଣି ପ୍ରତି ଜବାବ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ । ସିବିଆଇ ତଦନ୍ତ ହେଲେ ମୁଖା ଖୋଲିଯିବ ବୋଲି ସେ କହିଛନ୍ତି ।




admin 