ଦେବାଶିଷ ବିସିସିଆଇ ଚୟନ କମିଟି ସଦସ୍ୟ

ଦେବାଶିଷ ବିସିସିଆଇ ଚୟନ କମିଟି ସଦସ୍ୟ

ଦେବାଶିଷ ବିସିସିଆଇ ଚୟନ କମିଟି ସଦସ୍ୟ
ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କି୍ରକେଟର ଦେବାଶିଷ ମହାନ୍ତିଙ୍କୁ ବଡ଼ ଦିନ ପୂର୍ବରୁ ମିଳିଛି ବଡ଼ ଖବର । ବିସିସିଆଇର ବରିଷ୍ଠ ଚୟନ ସମିତି ସଦସ୍ୟ ଭାବେ ୪୪ ବର୍ଷୀୟ ଦେବାଶିଷଙ୍କୁ ଗୁରୁବାର ମନୋନୀତ କରାଯାଇଛି । ଅନ୍ୟତମ ପୂର୍ବତନ ଖେଳାଳୀ ଚେତନ ଶର୍ମାଙ୍କୁ ଚୟନ ସମିତିର ଅଧ୍ୟକ୍ଷ ଏବଂ ପୂର୍ବତନ ଦ୍ରୁତ ବୋଲର ଆବେ କୁରୁଭିଲାଙ୍କୁ ସଦସ୍ୟ ମନୋନୀତ କରାଯାଇଛି । ପୂର୍ବରୁ ଦେବାଶିଷ ବିସିସିଆଇର କନିଷ୍ଠ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଏବେ ପଦୋନ୍ନତି ପାଇଛନ୍ତି । ଆସନ୍ତାବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଚୟନ କରିବା ତାଙ୍କ ପ୍ରଥମ ଦାୟିତ୍ୱ ହେବ । ୧୯୯୭ ରେ ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ପଦାର୍ପଣକରିଥିବା ଦେବାଶିଷ ଭାରତ ପାଇଁ ୨ ଟେଷ୍ଟ ଓ ୪୫ ଦିନିକିଆ ଖେଳିଥିଲେ । ୧୯୯୯ ବିଶ୍ୱକପରେ ମଧ୍ୟ ଦେଶର ପ୍ରତିନିଧିତ୍ୱ କରି ଅନ୍ୟତମ ସଫଳ ବୋଲର ଥିଲେ । ଓଡ଼ିଶା ଓ ପୂର୍ବାଞ୍ଚଳ ପାଇଁ ଖେଳିଥିବା ଦେବାଶିଷ ନିଜ ୧୧୭ ପ୍ରଥମ ଶ୍ରେଣୀ କି୍ରକେଟ ଜୀବନରେ ୪୧୭ ୱିକେଟ ନେଇ ରାଜ୍ୟର ଅଗ୍ରଣୀ ବୋଲର ରହିଛି । ଓଡ଼ିଶା ରଣଜୀ ଦଳର ନେତୃତ୍ୱ ନେବା ସହ ଓଡ଼ିଶା ଦଳକୁ ମଧ୍ୟ ପ୍ରଶିକ୍ଷଣ ଦେଇ ନକ ଆଉଟରେ ପହଞ୍ଚାଇଥିଲେ । ଏବେ ଭାରତୀୟ ଦଳର ଚୟନକର୍ତ୍ତା ହେବାରେ ସେ ରଞ୍ଜୀବ ବିଶ୍ୱାଳଙ୍କ ପରେ ଦ୍ୱିତୀୟ ଓଡ଼ିଆ କି୍ରକେଟର ହୋଇଛନ୍ତି । ଅନ୍ୟତମ ଓଡ଼ିଆ ପ୍ରଜ୍ଞାନ ଓଝା ଆଇପିଏଲ ପରିଚାଳନା ପରିଷଦକୁ ମନୋନୀତ ହେବାରେ ଗୋଟିଏ ଦିନ ପରେ ଦେବାଶିଷ ମହାନ୍ତି ବରିଷ୍ଠ ବର୍ଗ ଜାତୀୟ ଚୟନକର୍ତ୍ତା ହେବା ଓଡ଼ିଶା କ୍ରିକେଟ ଦୁନିଆରେ ମଧ୍ୟ ଖୁସିର ଲହରୀ ଖେଳାଇ ଦେଇଛି ।