ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ତୃତୀୟ ଦିନିକିଆ
ଚେନ୍ନାଇ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ତୃତୀୟ ଦିନିକିଆ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଥିବାରୁ ଆଜିର ମ୍ୟାଚ୍ ରୋମାଞ୍ଚର ଶିଖର ଛୁଇଁବା ନିଶ୍ଚିତ । ଘରୋଇ ଗ୍ରାଉଣ୍ଡରେ ଭାରତ ଗତ ୪ ବର୍ଷ ହେଲା କୌଣସି ସିରିଜ ହାରି ନାହିଁ । ଅନ୍ୟ ପଟରେ ଅଷ୍ଟ୍ରେଲିଆ ଦଳ ଚେନ୍ନାଇରେ ଥରେ ମାତ୍ର ଭାରତକୁ ଭେଟିଛି ଓ ବିଜୟୀ ହୋଇଛି । ତେଣୁ ସବୁ ଆକଳନ ବର୍ତ୍ତମାନ ମୂଲ୍ୟହୀନ ହୋଇ ଯାଇଛି । ମ୍ୟାଚ୍ ବିଜୟ ସହ ରେକର୍ଡରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଉଭୟ ଦଳ ପ୍ରୟାସ କରିବେ ।
ଦ୍ୱିତୀୟ ଦିନିକିଆରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ କରିବା ପରେ ଭାରତର ଚିନ୍ତା ବଢି ଯାଇଛି । ପ୍ରଥମତଃ ଷ୍ଟାର୍ ବ୍ୟାଟରଙ୍କୁ ଦାୟିତ୍ୱ ବହନ କରିବାକୁ ପଡ଼ିବ। ରୋହିତ ଶର୍ମା, ବିରାଟ କୋହଲି ଓ କେ ଏଲ ରାହୁଲ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବା ଜରୁରି । ଦ୍ୱିତୀୟତଃ ମିଚେଲ ଷ୍ଟାର୍କଙ୍କୁ ସାମ୍ନା କରିବା ପାଇଁ ଦଳକୁ ଭିନ୍ନ ଉପାୟ ପ୍ରସ୍ତୁତ କରିବାକୁ ହେବ । ଷ୍ଟାର୍କ ପ୍ରଥମ ୨ଟି ଦିନିକିଆରେ ୮ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ତୃତୀୟତଃ ମିଚେଲ ମାର୍ଶଙ୍କୁ ଅଟକାଇବା ପାଇଁ ମଧ୍ୟ ଯୋଜନା କରିବାକୁ ପଡ଼ିବ । ସେ ବିସ୍ପୋରକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର/ ସର୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି ।
ଅଷ୍ଟ୍ରେଲିଆ: ଟ୍ରେଭିସ ହେଡ୍, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍(ଅଧିନାୟକ), ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, କାମେରନ ଗ୍ରୀନ, ଗ୍ଲେନ ମ୍ୟାକ୍ସୱେଲ୍, ମାର୍କସ ଷ୍ଟଇନିସ, ସିନ ଆବୋଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।