ଦିବ୍ୟ ଆସିଲେ ବିଧାନସଭା ଗୃହ ଅପବିତ୍ର ହେବ: ସାଲୁଜା
ଦିବ୍ୟ ଆସିଲେ ବିଧାନସଭା ଗୃହ ଅପବିତ୍ର ହେବ: ସାଲୁଜା
ଭୁବନେଶ୍ୱର: ଏଥର ବିଧାନସଭା ଅଧିବେଶନ ମମିତା ମେହେର ହତ୍ୟାକାଣ୍ଡରେ ପ୍ରସଙ୍ଗରେ କମ୍ପିବ। ଏବେଠୁ ଶୁଭିଲାଣି ବିରୋଧୀଙ୍କ ରଣହୁଙ୍କାର। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମମିତାଙ୍କୁ ନ୍ୟାୟ ଦେବା ପାଇଁ ବିଧାନସଭାରେ ଦଳ ଏ ପ୍ରସଙ୍ଗ ଉଠାଇବ। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ସାଲୁଜା ବର୍ଷିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ଦିବ୍ୟଶଙ୍କର ବିଧାନସଭାକୁ ଆସିଲେ ପବିତ୍ର ଗୃହ ଅପବିତ୍ର ହେବ। ଜଘନ୍ୟ ଅପରାଧରେ ସେ ଅଭିଯୁକ୍ତ। ଏମିତି ନେତାଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ନ ଦେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ। ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ଗୃହରେ ପ୍ରବଳ ବିରୋଧ କରାଯିବ ମନ୍ତ୍ରୀଙ୍କୁ।
ସାଲୁଜା ପୁଣି କହିଛନ୍ତି, ଏ ପୂରା ମାମଲାରେ ଦିବ୍ୟଶଙ୍କରଙ୍କ ଭୂମିକା ସନ୍ଦେହଜନକ। ତାଙ୍କ ନାଁରେ ଅଭିଯୋଗ ଉଠିଛି। ଏହା ସତ୍ତ୍ୱେ ବି ଦିବ୍ୟଶଙ୍କର ବିଧାନସଭା ଆସିଲେ, ଆମେ ଜୋରଦାର ବିରୋଧ କରିବୁ । ଏ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହେବ।
ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ରଖାଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାନସଭା ଅଧିବେଶନ ବସୁଥିବାବେଳେ ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ରହିଛି ବିରୋଧୀଙ୍କ ହାତରେ।




admin 