ଟିକା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ ନବୀନ

ଟିକା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ ନବୀନ

ଟିକା ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ ନବୀନ

ଭୁବନେଶ୍ୱର:  କରୋନା ଟିକା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି ।  ରାଜ୍ୟ ପାଇଁ ୯୫% ଟିକା କେନ୍ଦ୍ର ସରକାର ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  କୋଭିଡ ସମୀକ୍ଷା ବୈଠକରେ ନବୀନ ପଟ୍ଟନାୟକ ଏଭଳି ଦାବି କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଗତ କେଇ ସପ୍ତାହ ହେଲା କୋଭିଡ ସ୍ଥିତିରେ ଭଲ ଉନ୍ନତି ଆସିଛି ।  ଉପକୂଳ ଜିଲ୍ଲା ଛାଡ଼ିଲେ ବାକି ଅଞ୍ଚଳରେ କରୋନା ସ୍ଥିତିରେ ଭଲ ଉନ୍ନତି ଆସିଛି ।  ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ ।  ଘରୋଇ ହସ୍ପିଟାଲକୁ ୨୫% ଟିକା ଆବଣ୍ଟନ ନଥିବାରୁ ଓଡ଼ିଶା କୋଟା କମୁଛି ।  ଘରୋଇ ହସ୍ପିଟାଲକୁ ୫% ଟିକାର ଦେଇ ୯୫% ରାଜ୍ୟ ସରକାରଙ୍କୁ ଦିଆଯାଉ ।  ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ।  ତେଣୁ ୧୨ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ବ୍ୟବସ୍ଥା କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି । 

ପ୍ରକାଶ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ । କୋଭିଡ ପରିଚାଳନା ସମ୍ପର୍କରେ ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।   ଓଡ଼ିଶା ସମେତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିଛନ୍ତି ।  ଏହି ଅବସରରେ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ କୋଭିଡ ପରିଚାଳନା ନେଇ କିଛି ପରାମର୍ଶ ଦେଇଥିଲେ । 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରୁଥିବାବେଳେ ଟିକାସଙ୍କଟ ଏଥିରେ ବାଧକ ସାଜୁଛି । ଟିକା ଅଭାବରୁ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ପଡ଼ୁଛି ।