'ଚିକୁ' ରହସ୍ୟର ପରଦା ଖୋଲିଲେ ବିରାଟ କୋହଲି

'ଚିକୁ' ରହସ୍ୟର ପରଦା ଖୋଲିଲେ ବିରାଟ କୋହଲି

ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳୁଥିବା ବେଳେ ବିରାଟ କୋହଲିଙ୍କ ନାମ ‘ଚିକୁ’ ଦିଆଯାଇଥିଲା । ଏବେ ଏହି ନାମର ରହସ୍ୟ ଉପରୁ ପରଦା ଉଠାଇଛନ୍ତି କୋହଲି । ୨୦୦୭ ମସିହାରେ ଯେତେବେଳେ ତାଙ୍କର ଚୁଟି ଝଡ଼ିବାରେ ଲାଗିଥିଲା, ସେଥିପାଇଁ ସେ ତାଙ୍କ ଚୁଟିକୁ ବହୁତ ଛୋଟ ଛୋଟ କରି କାଟି ଥିଲେ । ତେବେ ତାଙ୍କର ବଡ଼ କାନ ଓ ବଡ଼ ଗାଲ ରହିଥିଲା । ଯେଉଁଥିପାଇଁ ସେ ଜୋକର ଭଳି ଦେଖାଯାଉଥିଲେ । ଏହି ସମୟରେ ଏକ କମିକ ବହି ‘ଚମ୍ପକ’ ବହୁତ ଚର୍ଚ୍ଚାରେ ଥିଲା । ସେଥିରେ ମୁଖ୍ୟ ନାୟକ ଥିଲା ଏକ ଠେକୁଆ । ଯାହାର ନାମ ଥିଲା ଚିକୁ । ତେଣୁ ଏହାକୁ ଆଧାର କରି ତତ୍କାଳୀନ ପ୍ରଶିକ୍ଷକ ତାଙ୍କୁ ଚିକୁ ଡାକିବା ଆରମ୍ଭ କରିଥିବା କୋହଲି ସ୍ପଷ୍ଟ କରିଛନ୍ତି । କେଭିନ ପିଟରସନଙ୍କ ସହିତ ଇନଷ୍ଟାଗ୍ରାମ ଲାଇଭ ବାର୍ତ୍ତାଳାପ ସମୟରେ ତାଙ୍କର ଡାକ ନାମ ‘ଚିକୁ’ ବିଷୟରେ କୋହଲି ଏହି ଖୁଲାସା କରିଛନ୍ତି । ତେବେ ତାଙ୍କର ଏହି ନାମକୁ ମହେନ୍ଦ୍ର ସିଂହ ଧୋନି ଅଧିକ ପ୍ରସିଦ୍ଧ କରାଇଥିଲେ । ଷ୍ଟମ୍ପ ମାଇକରେ ଧୋନି ସବୁବେଳେ କୋହଲିଙ୍କୁ ଚିକୁ ନାମରେ ଡାକୁଥିବା ଜଣାପଡ଼ିବାରୁ ସମସ୍ତେ ତାଙ୍କୁ ଏହି ନାମରେ ଡାକିବା ଆରମ୍ଭ କରିଦେଇଥିଲେ । ଏବେ କେହି ତାଙ୍କୁ ବିରାଟ ନାମରେ ଡାକୁନାହାନ୍ତି । ଭାରତରେ ଛୋଟ ପିଲାମାନଙ୍କ କ୍ଷେତ୍ରରେ ଚିକୁ ନାମ ଅଧିକ ବ୍ୟବହାର କରାଯାଇଥାଏ । ତେବେ ଏହି ନାମ ତାଙ୍କ କ୍ଷେତ୍ରରେ ଅଧିକ ପ୍ରସିଦ୍ଧ ହୋଇଯିବାରୁ ଯେତେବେଳେ ବାହାରକୁ ଯାଇଥାନ୍ତି, ସେଠାରେ ଲୋକମାନେ ତାଙ୍କୁ ‘ଓଏ ଚିକୁ ଓଏ ଚିକୁ’ କହି ଡାକିଥାନ୍ତି ବୋଲି କୋହଲି ଏହି ବାର୍ତ୍ତାଳାପ ଅବସରରେ କହିଥିଲେ ।