ଗୋଟିଏ ପରିବାରୁ ଏକାଧିକଙ୍କୁ ଟିକେଟ୍ ମିଳିବନି-ଜିତେନ୍ଦ୍ର ସିଂହ

ଗୋଟିଏ ପରିବାରୁ ଏକାଧିକଙ୍କୁ ଟିକେଟ୍ ମିଳିବନି-ଜିତେନ୍ଦ୍ର ସିଂହ

ଭୁବନେଶ୍ୱର : ଗୋଟିଏ ପରିବାରରୁ ଏକାଧିକଙ୍କୁ ଟିକେଟ୍ ମିଳୁଥିବାରୁ ଏହା ଉପରେ ଆଜି ପିପିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଏକ ବୟାନ ଦେଇଛନ୍ତି ।ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଟିକେଟ ମିଳିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ । ଜିତେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ପରେ କଂଗ୍ରେସରେ ହଟଚମଟ ଆରମ୍ଭ ହୋଇଯାଇଛି । ଏହା ପ୍ରକୃତରେ ପାଳନ କରାଯିବ ନାହିଁ ନା କେବଳ କଥା ପ୍ରସଙ୍ଗରେ କୁହାଯାଉଛି ବୋଲି କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଗୋଟିଏ ପରିବାରକୁ ଗୋଟିଏ ଟିକେଟ ଫର୍ମୂଲା ପ୍ରସଙ୍ଗ କଂଗ୍ରେସ ପାଇଁ ନୂଆ ନୁହେଁ । ପିସିସି ସଭାପତି ଦାୟିତ୍ୱ ନେବା ପରେ ନିରଞ୍ଜନ ପଟ୍ଟନାୟକ ଏକଥା କହିଥିଲେ । କିନ୍ତୁ ପରବର୍ତୀ ସମୟରେ ସେ ନିଜର ମତ ବଦଳାଇବାକୁ ବାଧ୍ୟ ହୋଇଥିଲେ । ରାଜନୀତିକ ପରିବାରରୁ ଯେଉଁମାନେ ଆସୁଛନ୍ତି ସେମାନେ ରାଜନୀତି କରିବେନି ତ ଆଉ କ’ଣ କରିବେ ବୋଲି ପ୍ରଶ୍ନ କରିଥିଲେ । ଯେଉଁ ପରିବାରରେ ଏକାଧିକ ବ୍ୟକ୍ତି ରାଜନୀତିରେ ସକ୍ରିୟ ରହିଥିବେ ସେମାନଙ୍କୁ ଟିକେଟ ମିଳିବ ବୋଲି ନିରଞ୍ଜନ ସଫେଇ ଦେଇଥିଲେ । କିନ୍ତୁ ଏବେ ଜିତେନ୍ଦ୍ର ପୁଣି ସେଇ କଥା ଦୋହରାଇଛନ୍ତି । ଯାହା ଏବେ କଂଗ୍ରେସ ଅଳିନ୍ଦରେ ବେଶ ଚର୍ଚ୍ଚା ସୃଷ୍ଟିକରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାମ ଭଣ୍ଡାରୀପୋଖରୀରୁ ଯାଇଥିବାବେଳେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ବାଲେଶ୍ୱର ଲୋକସଭା ଆସନ ପାଇଁ ଯାଇଛି । ଯଦି ପ୍ରକୃତରେ କଂଗ୍ରେସ ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ଟିକେଟ ଦେବନାହିଁ ତାହେଲେ ନିରଞ୍ଜନ କିମ୍ବା ନବଜ୍ୟୋତିଙ୍କ ମଧ୍ୟରୁ ଜଣେ ହିଁ ଟିକେଟ ପାଇବ । ଅପରପକ୍ଷରେ ବାପା ଚାହିଁଲେ ପୁଅଙ୍କ ପାଇଁ ଟିକେଟ ନେଇପାରିବେ ବୋଲି ଜିତେନ୍ଦ୍ର କହିଥିଲେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ସଂଗ୍ରାମ ଜେନା ୨୦୧୪ରେ ଟିକେଟ ପାଇଥିଲେ । ଏଥର ମଧ୍ୟ ଉଭୟ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆନନ୍ଦପୁର ପାଇଁ ଉଭୟଙ୍କ ନାମ ଯାଇଥିବାବେଳେ ଜୟଦେବ ଲଢ଼ିବା ସମ୍ଭାବନା ଅଧିକ ରହିଛି । ସଂଗ୍ରାମ ଏଥର ନିର୍ବାଚନ ଲଢ଼ିବେ ନାହିଁ । ଅପରପକ୍ଷରେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କଳାହାଣ୍ଡି ସାଂସଦ ଭାବେ ଲଢ଼ିବାକୁ ଚାହୁଁଥିବାବେଳେ ତାଙ୍କ ପୁଅଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ । ଫଳରେ ତାଙ୍କ ଆଶା ମଧ୍ୟ ମଉଳିଯିବ ବୋଲି କୁହାଯାଇପାରେ ।