ଗଭୀର ଅବପାତରେ ରୂପ ନେଲା ଅବପାତ
ଗଭୀର ଅବପାତରେ ରୂପ ନେଲା ଅବପାତ
ଭୁବନେଶ୍ୱର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ସାଢେ ୧୧ଟାରେ ଏକ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଏବେ ବାଲେଶ୍ୱରଠୁ ପ୍ରାୟ ୨୦୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଦୀଘା ପାଖରୁ ପ୍ରାୟ ୧୪୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏନେଇ ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ, ଅବପାତର ପ୍ରଭାବରେ ଆଜି ଉତ୍ତର ଓଡିଶାର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ । ତେବେ ବାତ୍ୟାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।
ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଗଭୀର ଅବପାତ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିଛି । ବେଳେବେଳେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ପ୍ରବାହିତ ହେଉଛି । ଏହା କ୍ରମଶଃ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳ ଓ ବାଙ୍ଗଲାଦେଶ ଉପକୂଳକୁ ବାଲେଶ୍ୱର ଓ ସାଗର ଦୀପ ମଧ୍ୟରେ ଅତିକ୍ରମ କରିବ । ଗଭୀର ଅବପାତ ଯୋଗୁ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଧୀରେ ଧୀରେ ଉତ୍ତର ଓଡିଶା ଜିଲ୍ଲାରେ ଏହାର ପରିମାଣ ବିବ । ଗଭୀର ଅବପାତ ଉପକୂଳ ଆଡକୁ ମୁହାଁଇଲେ ଉତ୍ତର ଓଡିଶା ନିକଟସ୍ଥ ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ, ଛତିଶଗଡ ଆଡକୁ ଗତି କରିବ । ଏହା ପ୍ରଭାବରେ ଆଜି ସବୁଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ କମିଯିବ ।
ଆଜି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଉତ୍ତର-ପଶ୍ଚିମ ଓଡିଶା ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, ଫୁଲବାଣୀ, ବୌଦ୍ଧ, ବରଗଡରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳରେ ଆଜି ପବନ ସହ ବର୍ଷା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।




admin 