ଗଞ୍ଜାମ ବିଜେପି ଜିଲ୍ଲା ସଭାପତିଙ୍କ ହତ୍ୟା ଉଦ୍ୟମ

ଗଞ୍ଜାମ ବିଜେପି ଜିଲ୍ଲା ସଭାପତିଙ୍କ ହତ୍ୟା ଉଦ୍ୟମ

ଗୋଲନ୍ଥରା: ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ମଧ୍ୟ ରାତ୍ରରୁ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଛାଡ଼ି ଦୌଡ଼ି ପଳାଇଛନ୍ତି । ଏ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଖଣ୍ଡା, ମୋଟର ସାଇକେଲକୁ ପୁଲିସ ଜବତ କରି ଛାନଭିନ ଚଳାଇଛି । ଗୋଲନ୍ଥରା ବିଜେପି କାର୍ଯ୍ୟାଳୟ ନିକଟସ୍ଥ ନିଜ ବାସଭବନରେ ରହୁଥିବା ବିଜେପି ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ଘର ନିକଟରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଛକି ରହିଥିଲେ । ରାତି ପ୍ରାୟ ୩ଟା ବେଳେ ବିଭୂତିଙ୍କ ଜଣେ ସହଯୋଗୀ ପରିସ୍ରା କରିବା ପାଇଁ ଉଠି ଦୁର୍ବୃତ୍ତଙ୍କୁ ଦେଖି ପାଟି କରିଥିଲେ । ପାଟି ଶୁଣି ଦୁର୍ବୃତ୍ତମାନେ ଏକ ପଲସର ବାଇକ ଓ ତିନୋଟି ଖଣ୍ଡା ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ । ଘଟଣା ସମ୍ପର୍କରେ ଶ୍ରୀ ଜେନା ଗୋଲନ୍ଥରା ଥାନାକୁ ଖବର ଦେଇଥିଲେ । ଏହି ଖବର ପାଇ ବହୁ ସଂଖ୍ୟାରେ ବିଜେପି କର୍ମୀ ପହଞ୍ଚି ଖୋଜାଖୋଜି କରିବା ପରେ ଈଶାଣେଶ୍ୱର ମନ୍ଦିର ପାଶ୍ୱର୍ରେ ଏକ ନମ୍ବର ବିହୀନ ପଲସର ମୋଟର ସାଇକେଲ ସହ ତିନି ହଳ ପ୍ୟାଣ୍ଟ ସାର୍ଟ ଥିବା ଦେଖିଥିଲେ ।