କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା : ସୋନାଲ ମାନସିଂଙ୍କୁ ଏକାଡେମୀ ରତ୍ନ

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା : ସୋନାଲ ମାନସିଂଙ୍କୁ ଏକାଡେମୀ ରତ୍ନ

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା : ସୋନାଲ ମାନସିଂଙ୍କୁ ଏକାଡେମୀ ରତ୍ନ
ନୂଆଦିଲ୍ଲୀ : ଖ୍ୟାତନାମା ଓଡ଼ିଶୀ ନୃତ୍ୟ ଗୁରୁ ସୋନାଲ ମାନସିଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଫେଲୋ ବା ଏକାଡେମି ରତ୍ନ ସମ୍ମାନରେ ଭୂଷିତ ହେବେ । ତାଙ୍କ ସହିତ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ, ଆସାମର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟଗୁରୁ ଯତୀନ ଗୋସ୍ୱାମୀ ଏବଂ ତାମିଲନାଡ଼ୁର ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଗୁରୁ କେ.କଲ୍ୟାଣ ସୁନ୍ଦରମ ପିଲ୍ଲାଇ ମଧ୍ୟ ଏହି ସମ୍ମାନ ପାଇବାକୁ ନିର୍ବିବାଦୀୟ ଭାବେ ମନୋନୀତ ହୋଇଛନ୍ତି । ଗତ ଜୁନ୍ ୨୬ ତାରିଖରେ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆସାମର ଗୌହାଟୀଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକାରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ନୃତ୍ୟ କ୍ଷେତ୍ରରେ ଓଡ଼ିଶୀ ପାଇଁ ଓଡ଼ିଶାର ସୁରୁପା ସେନ ଓ ଛଉରେ ତପନ କୁମାର ପଟ୍ଟନାୟକଙ୍କୁ ୨୦୧୮ ବର୍ଷର ସଂଗୀତ ନାଟକ ଏକାଡେମି ପୁରସ୍କାର ପାଇଁ ଚୟନ କରାଯାଇଛି । ସେହିପରି ଯୁବ ଓଡ଼ିଶୀ ନୃତ୍ୟଶିଳ୍ପ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବାଦ୍ୟ, ସଙ୍ଗୀତ, ନୃତ୍ୟ, ଥିଏଟର, ପାରମ୍ପରିକ ଲୋକକଳା, ବିଭିନ୍ନ ଜନଜାତିର ବାଦ୍ୟ, ନୃତ୍ୟ ଥିଏଟର ଆଦି କ୍ଷେତ୍ରରେ ଅବଦାନ ପାଇଁ ମୋଟ ୪୪ ଜଣ କଳାକାରଙ୍କୁ ୨୦୧୮ ପାଇଁ ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପାଇଁ ନିର୍ବାଚିତ କରାଯାଇଛି । ଏହି ୪୪ଟି ପୁରସ୍କାର ମଧ୍ୟରେ ରହିଛି ୩ଟି ଯୁଗ୍ମ ପୁରସ୍କାର । ଏଥିସହିତ ୩୨ ଜଣ କଳାକାରଙ୍କୁ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ । ଏକାଡେମି ଫେଲୋ ସମ୍ମାନରେ ୩ ଲକ୍ଷ ଏବଂ ଏକାଡେମି ପୁରସ୍କାରରେ ୧ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସହ ତାମ୍ରପତ୍ର ଏବଂ ଅଙ୍ଗବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥାଏ । ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥାଏ ।