କହୁ କହୁ କହିଦେଲେ : ମନ୍ତ୍ରୀ ହୋଇ ନ ପାରିବାରୁ ଜୁଏଲ ଦୁଃଖୀ
କହୁ କହୁ କହିଦେଲେ : ମନ୍ତ୍ରୀ ହୋଇ ନ ପାରିବାରୁ ଜୁଏଲ ଦୁଃଖୀ
admin
Jun 13, 2019 - 06:56
Updated: Jun 13, 2019 - 06:56
ରାଉରକେଲା :କେନ୍ଦ୍ରରେ ଦୁଇ ଦୁଇ ଥର ଆଦିବାସୀ ବ୍ୟାପାର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏଥର ମୋଦି କ୍ୟାବିନେଟ୍ରେ ସ୍ଥାନ ପାଇନାହାନ୍ତି । ଏହାକୁ ନେଇ ସୁନ୍ଦରଗଡ଼ରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି । ଜୁଏଲଙ୍କୁ ମନ୍ତ୍ରୀ ପଦ ନ ମିଳିବା ନେଇ ରାଜନୈତିକ ସମୀକ୍ଷକମାନେ ନାନା କାରଣ ଦର୍ଶାଉଥିବା ବେଳେ ଏହାକୁ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ବର୍ଜନ କରିବା ଓ ମନ୍ତ୍ରୀ ପଦ ନ ମିଳିବା ନେଇ ଚୁପ ରହିବା ପରେ ଜୁଏଲ ରୁଷିଥିବା ନେଇ ଆଲୋଚନା ହେଉଥିଲା । ଏବେ ଖୋଦ ଜୁଏଲ ସ୍ୱୀକାର କରିଛନ୍ତି । ନିଜର ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ଜୁଏଲଙ୍କ ଏହି ସ୍ୱୀକାରୋକ୍ତି ରାଜନୈତିକ ମହଲରେ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ସୁନ୍ଦରଗଡ଼ ସାଂସଦ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଶ୍ରୀ ଓରାମଙ୍କୁ ଗତକାଲି ସଂଧ୍ୟାରେ ରାଉରକେଲାର ଭଞ୍ଜଭବନରେ ସହରର ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଶ୍ରୀ ଓରାମ ନିଜର ବକ୍ତବ୍ୟରେ କହୁ କହୁ ନିଜ ମନ କଥା ଓ ବ୍ୟଥା ଓଗାଳି ପକାଇଥିଲେ । କହିଲେ, ‘ଗଣମାଧ୍ୟମଠାରୁ ଆରମ୍ଭ କରି ସମର୍ଥକଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଥିଲେ ଯେ ମୋ ନାଁ ମନ୍ତ୍ରୀ ପଦ ପାଇଁ ବଜାୟ ଅଛି । ମତେ ଏଥର ବି ମନ୍ତ୍ରୀ ପଦ ମିଳିବା ନିଶ୍ଚିତ । ମୁଁ ବି ମଣିଷ, ଏଣୁ ମୋତେ ବି କିଛି ସମୟ ପାଇଁ ଲାଗିଥିଲା ଯେ ମୋତେ ମନ୍ତ୍ରୀ ପଦ ମିଳିଯିବ । କିନ୍ତୁ ପାଇଲିନି । ତେଣୁ ଟିକିଏ ଖରାପ ଲାଗିଲା ।’
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଜୁଏଲ କହିଲେ, ‘ମୁଁ ଶପଥ ଗ୍ରହଣ ଉତ୍ସବକୁ ଯିବା କଥା । ଯେହେତୁ ମୋ ସ୍ତ୍ରୀ ଙ୍କୁ ନେଇ ଦିଲ୍ଲୀ ଯାଇଥିଲି, ଏଣୁ ତାଙ୍କୁ ପଚାରିଥିଲି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବି କି ନା । ମାତ୍ର ତାଙ୍କୁ ଭଲ ଲାଗୁନଥିବା କହି ଯିବାକୁ ମନା କରିଥିବାରୁ ମୁଁ ମଧ୍ୟ ଉତ୍ସବରେ ଯୋଗ ଦେଇ ପାରିନଥିଲି ।
ତେବେ ମନ୍ତ୍ରୀ ପଦ ନ ମିଳିବାରୁ ଦୁଃଖିତ ଥିବା ଶତାଧିକ ସମର୍ଥକଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ ସୁଦ୍ଧା ଶ୍ରୀ ଓରାମ ମନ୍ତ୍ରୀ ପଦରୁ ବାଦ ପଡ଼ିବା ନେଇ କାହାକୁ ଦୋଷାରୋପ କରି ନଥିଲେ । ସେ କହିଥିଲେ, ‘କାହାକୁ ମନ୍ତ୍ରୀ ପଦ ଦେବେ, ତାହା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ନରେନ୍ଦ୍ର ମୋଦି ମତେ ଯେଉଁ ଦାୟିତ୍ୱ ଦେବେ, ଆଗାମୀ ଦିନରେ ମୁଁ ତାହାକୁ ନିଷ୍ଠାର ସହ ତୁଲାଇବି ।’
ସୂଚନା ଯୋଗ୍ୟ ଯେ, ମନ୍ତ୍ରୀ ପଦ ନ ମିଳିବା ଓ ଶପଥ ଗ୍ରହଣ ଉତ୍ସବରେଅନୁପସ୍ଥିତ ରହିବା ପରେ ଶ୍ରୀ ଓରାମ ରୁଷିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଶପଥ ଗ୍ରହଣ ଉତ୍ସବରେ ଦିନକ ପରେ କେନ୍ଦ୍ର କ୍ୟାବିଟେରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଶ୍ରୀ ଓରାମଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ କୁଆଡ଼େ ମନାଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଯଦିଓ ସେତେବେଳେ ଶ୍ରୀ ଓରାମ ନିରବ ରହିଥିଲେ ।