ଯୁବ କଂଗ୍ରେସ ସଭାପତିଙ୍କ ମୁଣ୍ଡରେ ଡେମୋକ୍ଲିସ ଖଣ୍ଡା

ଯୁବ କଂଗ୍ରେସ ସଭାପତିଙ୍କ ମୁଣ୍ଡରେ ଡେମୋକ୍ଲିସ ଖଣ୍ଡା

ଯୁବ କଂଗ୍ରେସ ସଭାପତିଙ୍କ ମୁଣ୍ଡରେ ଡେମୋକ୍ଲିସ ଖଣ୍ଡା
ଭୁବନେଶ୍ୱର : ଅଡୁଆରେ ପଡ଼ି ଯାଇଛନ୍ତି ଯୁବ କଂଗ୍ରେସର ଅନ୍ତରୀଣ ସଭାପତି ସ୍ମୃତିରଂଜନ ଲେଙ୍କା । ଏବେ ତାଙ୍କ ମୁଣ୍ଡରେ ଡେମୋକ୍ଲିସର ଖଣ୍ଡା ଝୁଲିଛି । ଯୁବ କଂଗ୍ରେସ ସଭାପତିଙ୍କ ମନମାନି ନେଇ ନୂଆଦିଲ୍ଲୀରେ ବି ଖବର ପହଁଚି ସାରିଛି । ଅଖିଳ ଭାରତୀୟ ଯୁବ କଂଗ୍ରେସ ମଧ୍ୟ ଏହାକୁ ଗୁରୁତର ସହ ଗ୍ରହଣ କରିଥିବାବେଳେ ସ୍ମୃତିରଂଜନଙ୍କୁ ଚେକ ଦେଇଛନ୍ତି । ନିକଟରେ ସେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରିଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ସ୍ମୃତିରଂଜନଙ୍କ ନିକଟକୁ ନୂଆଦିଲ୍ଲୀରୁ ବାର୍ତା ପହଁଚିଥିବା ଜାଣିବାକୁ ମିଳିଛି । ଦୀର୍ଘଦିନ ଧରି ଯୁବ କଂଗ୍ରେସ ସଭାପତି ପଦ ଖାଲି ପଡ଼ିଥିଲା । କିନ୍ତୁ ଅନ୍ତରୀଣ ସଭାପତି ଭାବେ ଡକ୍ଟର ସ୍ମୃତିରଂଜନ ଲେଙ୍କାକୁ ଦାୟିତ୍ୱ ଦିଆଯାଇଥିଲା । ଅପରପକ୍ଷରେ ଏଭଳି ନିଯୁକ୍ତିକୁ କିନ୍ତୁ ଦଳର କେତେକ ନେତା ସହଜରେ ଗ୍ରହଣ କରିପାରିନଥିଲେ । ଘରେ ନପଶୁଣୁ ଚାଳ ବାଜିବା ନ୍ୟାୟରେ ଶ୍ରୀଗୁଣ୍ଡିଚାରେ ଡକ୍ଟର ଲେଙ୍କାଙ୍କ କଂଗ୍ରେସ ଭବନ ପ୍ରବେଶ ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ନିକଟରେ ଯୁବ କଂଗ୍ରେସ ସଭାପତି ୧୧ ଜିଲ୍ଲାର ଯୁବ କଂଗ୍ରେସ ସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ତେବେ ସେ ପୁରୀ ଜିଲ୍ଲାରେ ଯୁବ କଂଗ୍ରେସର ମଙ୍ଗ ପ୍ରେମଜିତ ମହାନ୍ତିଙ୍କୁ ଧରାଇଥିଲେ । ଯାହାକୁ ନେଇ ବିବାଦ ବି ସୃଷ୍ଟି ହୋଇଥିଲା । ପୁରୀ ଜିଲ୍ଲାର ଅନେକ ନେତା ଏନେଇ ପିସିସି ଓ ଏଆଇସିସି ନିକଟରେ ଫେରାଦ ମଧ୍ୟ ହୋଇଥିଲେ । କୌଣସି ନେତାଙ୍କ ସହ ଆଲୋଚନା ନକରି ଏଭଳି କରାଯାଇଥିବାରୁ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଥିଲା । ଏହାକୁ ଅନୁଶୀଳନ କରିବା ପରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟି ଗଠନକୁ ସ୍ଥଗିତ ରଖାଯାଇଛି । ଏପରିକି ନେତାଙ୍କର ଦକ୍ଷତା ନୁହେଁ ବରଂ ପ୍ରୀୟାପ୍ରିତି ଦେଖି ଜିଲ୍ଲା ଯୁବ କଂଗ୍ରେସ ସଭାପତି ମନୋନୟନ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ତେବେ ପୁରୀ ଜିଲ୍ଲା କମିଟି ସ୍ଥଗିତ ରହିବା ପରେ ଏହା ସ୍ମୃତିରଂଜନଙ୍କୁ ଶକ୍ତ ଧକ୍କା ହୋଇଥିବାବେଳେ ଖୁବଶୀଘ୍ର ସେ ବଦଳିବେ ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି ।