କଟକରେ ପୁଲିସ କଲା ଏନ୍କାଉଣ୍ଟର
କଟକ : କଟକରେ ପୁଲିସ୍ କରିଛି ଏନ୍କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକ। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଡ଼ାନାସୀ ଭୁଆସୁଣି ପଠାରେ ସ୍ପେଶାଲ ସ୍କ୍ୱାଡ୍ ଓ ବିଡ଼ାନାସୀ ଥାନା ପୁଲିସ୍ ପକ୍ଷରୁ ଗୁରୁବାର ଏହି ଏନ୍କାଉଣ୍ଟର କରାଯାଇଥିଲା। ଶଙ୍କର କଟକ ଆସିଥିବା ଓ ଭୁଆସୁଣି ପଠାରେ କାହାକୁ ବନ୍ଧୁକ ବିକ୍ରି କରିବାକୁ ଉପସ୍ଥିତ ଥିବା ନେଇ ପୁଲିସ୍ ପାଖରେ ସୂଚନା ରହିଥିଲା। ଏହି ସୂଚନା ଆଧାରରେ ସ୍ପେଶାଲ ସ୍କ୍ୱାଡ୍ ଓ ବିଡ଼ାନାସୀ ଥାନା ପୁଲିସ୍ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଶଙ୍କର ପୁଲିସ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା। ପୁଲିସ୍ ଏହାର ଜବାବ ଦେଇଥିଲା ଓ ଶଙ୍କର ଆହତ ହୋଇଥିଲା।ଶଙ୍କରର ଘର ରାଣୀହାଟ ଗୋପାଳ ସାହିରେ। ତା’ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କଟକର ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ଶଙ୍କରର ସମ୍ପୃକ୍ତି ଥିଲା। ସେଥିପାଇଁ ସେ ଜେଲ୍ ମଧ୍ୟ ଯାଇଥିଲା। କିନ୍ତୁ ଜେଲ୍ରୁ ବାହାରିବା ପରେ ପୁଣି ଅପରାଧିକ କାର୍ୟ୍ୟରେ ସେ ଲିପ୍ତ ରହିଥିଲା।




admin 