ପୁରୀ ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛି ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି।
ଯକୃତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପିଣ୍ଟୁ ନନ୍ଦ ବୁଧବାର ରାତି ୧୧ଟା ୨୫ ମିନିଟ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେଠାରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବିମାନ ଯୋଗେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ଗୁରୁବାର ପ୍ରାୟ ୯ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ତାଙ୍କ ମରଶରୀର। ସେତେବେଳେ ବିମାନବନ୍ଦରରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଅନେକ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ପିଣ୍ଟୁ ଙ୍କ ମରଶରୀରକୁ ସେଠାରୁ ସିଧାସଳଖ ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା।ଆଜି ସକାଳେ ପିଣ୍ଟୁ ନନ୍ଦଙ୍କ ମରଶରୀରକୁ ଭୁବନେଶ୍ୱରର କଳାରାହାଙ୍ଗ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ସେଠାରେ ତାଙ୍କର ସଂପର୍କୀୟମାନଙ୍କ ସହିତ ଅନ୍ୟମାନେ ଶେଷ ଦର୍ଶନ କରିବେ। ତା’ପରେ ସେଠାରୁ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯିବ ଓ ଅନ୍ତିମ ସଂସ୍କାର କରାଯିବ।
ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥାନାନ୍ତର କରଯାଇଥିଲା । କିନ୍ତୁ ସେଠାରେ ଡୋନର ନ ମିଳିବାରୁ ପିଣ୍ଟୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା। ଆଉ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଯାଇଥିଲା।




admin 