ଓଡ଼ିଶାକୁ ପୁଣି ବାତ୍ୟା ଭୟ

ଓଡ଼ିଶାକୁ ପୁଣି ବାତ୍ୟା ଭୟ

ଓଡ଼ିଶାକୁ ପୁଣି ବାତ୍ୟା ଭୟ
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବେ ରହିଥିବା ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ । କାରଣ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ବିଲୀନ ହୋଇପାରେ । ହେଲେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ସୃଷ୍ଟି ହୋଇଛି ଓ ଏହା ବର୍ତ୍ତମାନର ଲଘୁଚାପ ସହିତ ମିଶି ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ, ବାତ୍ୟା ରୂପ ନେଲେ ଏହା କେତେ ଭୀଷଣ ରୂପ ଧାରଣ କରିବ, ସର୍ବୋପରି କେଉଁଠାରେ ସ୍ଥଳଭାଗକୁ ଛୁଇଁବ, ତାହା ଆସନ୍ତା ୭,୯ ଓ ୧୧ ତାରିଖରେ ସ୍ପଷ୍ଟ ହେବ ବୋଲି ପୂର୍ବାନୁମାନ କରାଯାଇଛି । ବାତ୍ୟା ରୂପ ନେଲେ ଏହାର ନାମ ‘ଆମ୍ଫାନ’ ହେବ ବୋଲି କୁହାଯାଇଛି । ଗତ ବର୍ଷ ମେ’୩ ତାରିଖରେ ବାତ୍ୟା ଫନି ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ ମାଡ଼ ହୋଇଥିଲା । ଏହାର ବର୍ଷପୂର୍ତ୍ତି ସରିଛି ଓ ଏହାକୁ ନେଇ ଚର୍ଚ୍ଚା ନ ଥମୁଣୁ ସମ୍ଭାବ୍ୟ ବାତ୍ୟା ପୁଣି ଥରେ ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି । ବିଭିନ୍ନ ମଡେଲକୁ ଅନୁଧ୍ୟାନ କରିବା ପରେ ପାଣିପାଗ ବିଜ୍ଞାନୀ ଅବସରପ୍ରାପ୍ତ ପ୍ରଫେସର ଡ.ସୁନ୍ଦ୍ରେ ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଯେ ୧ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ସେହି ସ୍ଥାନରେ ସ୍ଥିର ରହିଛି । ପ୍ରତିକୂଳ ପରିସ୍ଥିତି ଯୋଗୁଁ ଘନୀଭୂତ ହୋଇପାରୁନାହିଁ । ଆସନ୍ତା ୬ କିମ୍ବା ୭ ତାରିଖ ବେଳକୁ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ୭ ତାରିଖ ବେଳକୁ ଏହା ଦୁର୍ବଳ ହୋଇ ବିଲୀନ ହେବ ।