ଉଦଳାରେ ହାଜତ ମୃତ୍ୟୁ !

ଉଦଳାରେ ହାଜତ ମୃତ୍ୟୁ !

ଉଦଳାରେ ହାଜତ ମୃତ୍ୟୁ !

ଉଦଳା: ଲୁଟ ମାମଲାରେ ଗିରଫ ଯୁବକଙ୍କ ମୃତ୍ୟୁ ପରେ ଉଦଳା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉଦଳା ପୁଲିସ୍ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏହାକୁ ନେଇ ଉଦଳା ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି। ମୃତ ଯୁବକ ଜଣଙ୍କ ହେଲେ ପ୍ରଦୀପ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ଅଞ୍ଚଳରେ।

ଜାନୁଆରୀ ମାସରେ ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ରହୁଥିବା ଜଣେ ମହିଳାଙ୍କ ଘରୁ ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ ହୋଇଥିଲା। ଏହି ଘଟଣାରେ ତଦନ୍ତ କରି ପୁଲିସ୍ ପ୍ରଦୀପଙ୍କୁ ଗତକାଲି ରାତିରେ ଗିରଫ କରିବା ସହ ଥାନାକୁ ଆଣିଥିଲା। ତଦନ୍ତ ଚାଲିଥିବେ ବେଳେ ଆଜି ସକାଳୁ ହଠାତ୍ ପ୍ରଦୀପ ଅସୁସ୍ଥ ହୋଇପଡ଼ିଥିଲେ।

ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଥାନାରେ ରାତି ତମାମ ପୁଲିସ୍ ପ୍ରଦୀପଙ୍କୁ ମାଡ଼ ମାରିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବେଶ କିଛି ସମୟ ଉଦଳା ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା।

ମୃତ ଯୁବକ ଜଣକ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ କାର୍ୟ୍ୟ କରୁଥିବା ବେଳେ ତାଙ୍କ ନାଁରେ ପୂର୍ବରୁ କୌଣସି ପ୍ରକାରର ଅଭିଯୋଗ ନ ଥିଲା। ଏହା ସତ୍ତ୍ୱେ ପୁଲିସ୍ ବିନା କାରଣରେ ତାଙ୍କୁ ଉଠାଇ ଆଣିଥିଲା। ଏହାପରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ପ୍ରଦୀପଙ୍କ ବଡ଼ ଭାଇ ରାଧାକାନ୍ତ ଦାସ କହିଛନ୍ତି।

ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ। କାଲି ରାତି ୨ଟା ଯାଏ ଆମେ ଥାନାରେ ଅପେକ୍ଷା କରି ସେଠାକାର କର୍ମଚାରୀମାନଙ୍କୁ ଭାଇ ସହ ଦେଖା କରାଇ ଦେବାକୁ ଅନୁରୋଧ କରିଥିଲୁ। ହେଲେ କେହି ବି ଆମ କଥା ଶୁଣି ନଥିଲେ ବୋଲି ସେ କହିଛନ୍ତି।