ଆହୁରି ୨ ଦିନ ବର୍ଷିବ
ଆହୁରି ୨ ଦିନ ବର୍ଷିବ
admin
Oct 6, 2020 - 07:47
Updated: Oct 6, 2020 - 07:47
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ଆହୁରି ୨ ଦିନ ରହିବ । ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବା ଆରମ୍ଭ ହେବ । କିନ୍ତୁ ୯ ତାରିଖ ଆଡ଼କୁ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ ୧୧ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
କେନ୍ଦ୍ରର ନିଦେ୍ର୍ଧଶକ ଏଚ.ଆର ବିଶ୍ୱାସ କହିଛନ୍ତି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପବଳୟ ସେହି ସ୍ଥାନରେ ରହିଛି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କି.ମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ । ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ତେବେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଣୁ ଏସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ କମିବ । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୮ ତାରିଖରେ ବର୍ଷା ଆହୁରି କମିଯିବ । ୯ ତାରିଖ ବେଳକୁ ବର୍ଷା ପୁରା କମିଯିବ ଓ କିଛି ସ୍ଥାନରେ ବିଜୁଳି, ଘଡ଼ିଘଡ଼ି ସହ ସ୍ୱଳ୍ପ ବର୍ଷା ହେବ ।