ମୋଦିଙ୍କୁ ଚିଠି ଲେଖିଲେ ନବୀନ

ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର : ବାତ୍ୟା ‘ଫନି’ ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୁରୀ ଜିଲ୍ଲା ସମେତ ୧୪ ଜିଲ୍ଲାରେ ୫ ଲକ୍ଷ ଘର ଭାଙ୍ଗିଯାଇଛି । ଅପରପକ୍ଷରେ ଜୁନ ୧୦ ମଧ୍ୟରେ ଓଡ଼ିଶାକୁ ମୌସୁମୀ ଆସୁଛି । ତେଣୁ ଜରୁରୀକାଳୀନ ଭିତରେ ପ୍ରଭାବିତ ଲୋକମାନଙ୍କୁ ଗୃହ ଯୋଗାଇବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଜୁନ ପହିଲାରୁ କାର୍ଯ୍ୟାଦେଶ ବଂଟନ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତି ନେଇ ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଗୃହ ଅନୁମୋଦନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ‘ଫନି’ର ମୁକାବିଲା ପାଇଁ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇ ଥିବାରୁ ସେ ଧନ୍ୟବାଦ ଜଣାଉଛନ୍ତି । କିନ୍ତୁ ପ୍ରଭାବିତଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନେ ଏବେବି କଠିନ ସମୟ ଦେଇ ଗତି କରୁଛନ୍ତି । ‘ଫନି’ରେ କେତେ ଘର ଭାଙ୍ଗିଛି ସେନେଇ ରାଜ୍ୟ ସରକାର ସର୍ଭେ କରୁଥିବାବେଳେ ଖୁବଶୀଘ୍ର ସର୍ଭେ ଶେଷ ହେବ । ସର୍ଭେ ପରେ କେତେ ଘର ସମ୍ପୂର୍ଣ୍ଣ ଭାବେ ଓ କେତେ ଘର ଆଂଶିକ ଭାବେ ଭାଙ୍ଗିଛି ତାହା ଜଣାପଡ଼ିବ । ତେବେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୪ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଯାଇଛି । ବିଶେଷକରି ପୁରୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସ୍ୱତନ୍ତ୍ର ଭାବେ ୫ ଲକ୍ଷ ଘର ଅନୁମୋଦନ କରିବାକୁ ନବୀନ ଅନୁରୋଧ କରିଛନ୍ତି । ଏନେଇ ସେ ଗତ ୬ରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସ୍ୱତନ୍ତ୍ର ଘର ନିର୍ମାଣ ପାଇଁ ପରମାନେଂଟ ୱେଟ ଲିଷ୍ଟ (ପିଡବ୍ଲୁ୍ୟଏଲ) ତାଲିକା ମାନଦଣ୍ଡକୁ ବାଦ ଦେବା ସହ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୯୦:୧୦ ଅନୁପାତରେ ଅର୍ଥ ପ୍ରଦାନ ପାଇଁ ସେ ଦୃଷ୍ଟି ଆକର୍ଷଣ କରିଥିଲେ । ଜୁନ ୧୦ ସୁଦ୍ଧା ମୌସୁମୀ ଓଡ଼ିଶାକୁ ଛୁଇଁବାର ଥିବାବେଳେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ପକ୍କା ଘର ନିର୍ମାଣ ପାଇଁ ସହାୟତା ଦେବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିବାର ଅଭିଳାଷ ରଖି ଜୁନ ପହିଲାରୁ କାର୍ଯ୍ୟାଦେଶ ବଂଟନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ନବୀନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।