ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବେ ୬ ଦେଶ
ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବେ ୬ ଦେଶ
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନୀମାନେ କବ୍ଜା କରିନେବା ପରେ ସେଠାରେ ଫସିଥିବା ଅନ୍ୟ ଦେଶର ନାଗରିକମାନେ ସେଠାରୁ ସ୍ବଦେଶ ଫେରିଯିବାକୁ ଜୋରଦାର ଚେଷ୍ଟା ଚଳାଇଛନ୍ତି। ଆମେରିକା ସେନା କବ୍ଜାରେ ଥିବା କାବୁଲ ଏୟାରପୋର୍ଟ ନିକଟରେ ହଜାର ହଜାର ଲୋକ ସେମାନଙ୍କ ପାଳିକୁ ଅପେକ୍ଷା କରିଛନ୍ତି। ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ଫେରାଇ ନେବାକୁ ଉଦ୍ୟମ ଚଳାଇଛନ୍ତି। ଭାରତ ମଧ୍ୟ ଏୟାରଫୋର୍ସ ବିମାନ ସି-୧୩୦ ଦ୍ବାରା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା କାର୍ୟ୍ୟ ଜାରି ରଖିଛି। ଇତିମଧ୍ୟରେ ସେଠାରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାକୁ ୬ ଦେଶ ରାଜି ହୋଇଛନ୍ତି। ୟୁଏସ୍, ୟୁକେ, ୟୁଏଇ, ଫ୍ରା୍ନସ, ଜର୍ମାନି ଏବଂ କତର ସରକାର ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବେ ବୋଲି କହିଛନ୍ତି। ଯେଉଁ ଭାରତୀୟମାନେ ସେମାନଙ୍କ ପାଇଁ ଆଫଗାନିସ୍ତାନରେ କାମ କରୁଥିଲେ, ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯିବାକୁ ଚେଷ୍ଟା ଚାଲିଛି ବୋଲି ଏହି ୬ ଦେଶର ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଭାରତ ସେମାନଙ୍କୁ ସ୍ବଦେଶ ଫେରାଇ ନେଇପାରିବ ବୋଲି କୁହାଯାଇଛି। ଏହି ୬ ଦେଶର ଏହି ମତ ପରେ ସେଠାରେ ଥିବା ଭାରତୀୟମାନେ ଆଶ୍ବସ୍ତ ଥିବା ପ୍ରକାଶ କରିଛନ୍ତି। ଏହା ମଧ୍ୟ ଭାରତର ଉଦ୍ଧାର ପ୍ରକ୍ରିୟାକୁ ସହଜ ଓ ତ୍ବରାନ୍ବିତ କରିବ ବୋଲି କୁହାଯାଉଛି। ଅନ୍ୟ ପକ୍ଷରୁ ସୋମବାର ଯେଉଁ ୧୪୬ ଭାରତୀୟ କାବୁଲ୍ରୁ ଦୋହା ଉଡ଼ାଣ କରିଥିଲେ ସେମାନଙ୍କୁ ଭାରତ ଅଣାଯାଇଛି। ସେହିପରି ଭାରତୀୟ ବାୟୁସେନାର ସି-୧୩୦ ବିମାନ ଦ୍ବାରା କାବୁଲ୍ରୁ ୭୮ ଜଣଙ୍କୁ ଉଦ୍ଧାର କରାଯାଇ ଭାରତ ଫେରାଇ ଅଣାଯାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି।




admin 