ଆନ୍ଧ୍ରର ବଡ ଷଡଯନ୍ତ୍ର : କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ଯୋଜନା
ଆନ୍ଧ୍ରର ବଡ ଷଡଯନ୍ତ୍ର : କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ଯୋଜନା
admin
Feb 4, 2021 - 05:04
Updated: Feb 4, 2021 - 05:04
ଭୁବନେଶ୍ୱର :ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ଯୋଜନା । ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି, ଫାଟୁ ସିନେରି । ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶର ଘୋଷଣା । ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା ହୋଇଛି । ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ।
କୋଟିଆରେ ଆନ୍ଧ୍ର-ଓଡିଶା ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି । ଅନେକଥର ସମାଧାନ କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଏହାରି ମଧ୍ୟରେ ଆନ୍ଧ୍ର ବଡ ଷଡଯନ୍ତ୍ର କରିଛି ।
ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି, ପୂର୍ବରୁ ଆନ୍ଧ୍ର ତା’ର ପଞ୍ଚାୟତ ନିର୍ବାଚନରେ ଏସବୁ ଗାଁରୁ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ଚୟନ କରି ଆସୁଥିଲା । ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ର ସିଧାସଳଖ କୋଟିଆ ପଞ୍ଚାୟତର ଏହି ୩ଟି ଗାଁରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିଛି । ଆଗରୁ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ୨୧ ଗାଁ ପାଇଁ ୪ଟି ସ୍ଥାନରେ ନାଁକୁ ମାତ୍ର ବୁଥ୍ କରୁଥିଲା । କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁନଥିଲା । କେବଳ ରାସ୍ତା ଉପରେ ବୁଥ୍ କରି ଆସୁଥିଲା । ଏବେ ନିର୍ବାଚନ କରି କୋଟିଆକୁ କରାୟତ କରିବା ଲାଗି ବିଧିବଦ୍ଧ ବ୍ୟବସ୍ଥା କରିସାରିଛି ଆନ୍ଧ୍ର । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ବିରୋଧ କରିବା ଦରକାର ବୋଲି ଶ୍ରୀ ପାଙ୍ଗି କହିଛନ୍ତି ।
ସୂଚନାଥାଉକି, ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତର ୨୮ ଖଣ୍ଡ ଗାଁ ମଧ୍ୟରୁ ୨୧ଖଣ୍ଡ ଗାଁକୁ ଯାଇ ୬୦ ଦଶକରୁ ଆନ୍ଧ୍ର-ଓଡି଼ଶା ବିବାଦ ଲାଗି ରହିଛି । ଏସବୁ ବିବାଦୀୟ ଗାଁର ଭୋଟର କୋରାପୁଟ ଲୋକସଭା ଏବଂ ପଟ୍ଟାଙ୍ଗି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ଆର୍କୁ ଲୋକସଭା ଏବଂ ସାଲୁର ବିଧାନସଭା ପ୍ରାର୍ଥୀଙ୍କୁ ମଧ୍ୟ ଭୋଟ ଦେଇ ଆସୁଛନ୍ତି । କାରଣ ସେମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟରକାର୍ଡ ରହିଛି ।