ଆଜି ଭୁବନେଶ୍ୱରରୁ ୯ ପଜିଟିଭ ଚିହ୍ନଟ ।
ଆଜି ଭୁବନେଶ୍ୱରରୁ ୯ ପଜିଟିଭ ଚିହ୍ନଟ ।
admin
Jun 18, 2020 - 09:26
Updated: Jun 18, 2020 - 09:26
ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।
ତେବେ ଏହାରି ଭିତରେ ଗୁରୁବାର ଭୁବନେଶ୍ୱର ସହର ଅଞ୍ଚଳରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ ଓ ୫ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ୫ ଜଣ ଲୋକାଲ କଣ୍ଟାକ୍ଟ କେସରୁ ୩ ଜଣ କୋଭିଡ ହସ୍ପିଟାଲ କର୍ମଚାରୀ ଥିବା ଜଣାଯାଇଛି । ୩ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଗାଡ଼କଣ ମହିମା ନଗରର ଗୋଟିଏ ପରିବାରରୁ ୨ ଲୋକାଲ କେସ ଚିହ୍ନଟ ହୋଇଛି । ଚିହ୍ନଟ ଉଭୟ ଜଣେ ପୂର୍ବ ଆକ୍ରାନ୍ତ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି । ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ଓ ଭୀମପୁରରୁ ୨ କ୍ୱାରେଣ୍ଟାଇନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ କ୍ୱାରେଣ୍ଟାଇନ ପଜିଟିଭ ସାଲିଆସାହିରୁ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଗୁରୁବାର ଆଉ ୧୭୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୧୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଟି ଲୋକାଲ କେସ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୫୧୨କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।