ଆଗକୁ ପଞ୍ଚାୟତ ନିର୍ବାଚନ, ହେଲେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମୁନି
ଆଗକୁ ପଞ୍ଚାୟତ ନିର୍ବାଚନ, ହେଲେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମୁନି
ଭୁବନେଶ୍ୱର: ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। ବିଜେଡି ଓ ବିଜେପି ସେମାନଙ୍କ ପ୍ରସ୍ତୁତି ଜୋରଦାର କରିଦେଲେଣି। ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ‘ଜନ ଆଶୀର୍ବାଦ’ ଶୋଭାଯାତ୍ରା ନାଁରେ ରାଇଜ ବୁଲିକି ଗଲେଣି। ମୁଖ୍ୟମନ୍ତ୍ରୀ ମଧ୍ୟ ମାଲକାନାଗିରିରୁ କାର୍ୟ୍ୟକ୍ରମ ନାଁରେ ପ୍ରଚାର ମୂଳଦୁଆ ପକାଇଲେଣି। ହେଲେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମୁନି। ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଗତ ସପ୍ତାହରେ କୋରାପୁଟ ଜିଲ୍ଲା କଂଗ୍ରେସରେ କନ୍ଦଳକୁ ନେଇ ପିସିସି ସଭାପତିଙ୍କୁ ଟାର୍ଗେଟ କରିଥିଲେ । ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ତାରାଙ୍କ ନାଁ ନ ନେଇ ତାଙ୍କୁ ସମାଲୋଚନା କରିଛନ୍ତି । ଶ୍ରୀ ମାଝୀ କହିଛନ୍ତି, ପିସିସି ସଭାପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବରଦାସ୍ତ କରାଯିବନି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କୁ ବାଦ ଦେଇ କିମ୍ବା ଆଦିବାସୀଙ୍କ ଉପରେ ପ୍ରଭାବ ବିସ୍ତାର କରି କେହି ରାଜନୀତି କରିପାରିବେନି । କାହାର ଇସ୍ତଫା ଗ୍ରହଣ କରାଯିବ କି ନାହିଁ ଏହା ପିସିସିର ଅଧିକାର ଭିତରେ ଆସୁଛି । ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ସିଧାସଳଖ ପିସିସି ଅବହେଳା କରାଯାଇଛି । ଆଗକୁ ରାୟଗଡ଼ା, କୋରାପୁଟ ନବରଙ୍ଗପୁର ଓ ମାଲକାନଗିରିରେ ୫୦ ହଜାର ଲୋକଙ୍କୁ ନେଇ ମୁଁ ମେଳି କରିବି । ପ୍ରଭାରୀ ଆସିଲେ ମୁଁ ଏହାର ଉତ୍ତର ରଖିବି ବୋଲି ତାରା ଗଣମାଧ୍ୟମକୁ କହିଛନ୍ତି । ତାରା ଗଣମାଧ୍ୟମ ଆଉ ଏକ ସଙ୍ଗିନ ପ୍ରସଙ୍ଗ ଉଠାଇଛନ୍ତି । ତାଙ୍କ କହିବା ଅନୁଯାୟୀ ସାଂସଦ ସପ୍ତଗିରି ଉଲ୍ଲାକା ତାରାଙ୍କୁ ଫୋନ କରି କହିଥିଲେ ଯେ ‘ନରସିଂହ ମିଶ୍ରଙ୍କୁ ବାହାର କରି ତୁମକୁ ବିଧାୟକ ଦଳ ନେତା କରାଯିବ । ମୁଁ ରାହୁଲ ଗାନ୍ଧି ଓ ଚେଲ୍ଲା କୁମାରଙ୍କୁ ଏ ସମ୍ପର୍କରେ କହିବି । ରାହୁଲ ଗାନ୍ଧିଙ୍କର ନରସିଂହ ମିଶ୍ରଙ୍କ ପ୍ରତି ଭଲ ଧାରଣା ନାହିଁ । ବିଜେଡି ସହ ଶ୍ରୀ ମିଶ୍ର ସାମିଲ ଅଛନ୍ତି ବୋଲି ସମସ୍ତେ ଜାଣନ୍ତି ।’ ସାଂସଦଙ୍କ ଏହି ମନ୍ତବ୍ୟର ରେକର୍ଡିଂ ତାଙ୍କ ପାଖରେ ଅଛି ବୋଲି ତାରା ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ‘ମୁଁ ନରସିଂହ ମିଶ୍ରଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହିଁ । ବିଜେଡି ସହ ସେ ସାଲିସ କରିବା କଥା ମୁଁ ଜାଣିନି । ଶ୍ରୀ ମିଶ୍ର ବିଧାନସଭାରେ ସବୁବେଳେ ରାଜ୍ୟ ପାଇଁ ଲଢ଼ନ୍ତି । କାହା ସହ ସାଲିସ କରନ୍ତି ନାହିଁ ।’




admin 