ଅସ୍ଥିର ହେଉଛି ଷ୍ଟକ୍ ବଜାର, ସାତ ଦିନରେ ନିବେଶକଙ୍କ ୧୩ ଲକ୍ଷ କୋଟି କ୍ଷତି
ଅସ୍ଥିର ହେଉଛି ଷ୍ଟକ୍ ବଜାର, ସାତ ଦିନରେ ନିବେଶକଙ୍କ ୧୩ ଲକ୍ଷ କୋଟି କ୍ଷତି
admin
Mar 3, 2020 - 06:49
Updated: Mar 3, 2020 - 06:49
ମୁମ୍ବାଇ: ଗତ ଶୁକ୍ରବାର ହୋଇଥିବା କ୍ଷତିକୁ ନିବେଶକମାନେ ପ୍ରାୟ ଭୁଲିଯାଇଥିଲେ । ବିଶ୍ୱର ବିଭିନ୍ନ ଦେଶର ଷ୍ଟକ ବଜାରରେ କାରବାର ଭଲ ରହିବାରୁ ସୋମବାର ବମ୍ବେ ଷ୍ଟକ ବଜାର ଖୋଲିବା ମାତ୍ରେ ନିବେଶକମାନେ ବିପୁଳ ପରିମାଣର ସେୟାର କିଣିଥିଲେ । ଏହାର ପ୍ରଭାବରେ ସେନସେକ୍ସରେ କିଛି ମିନିଟ ଭିତରେ ୧୩୦୦ ପଏଣ୍ଟ ଭଳି ବଡ଼ ଧରଣର ବୃଦ୍ଧି ଘଟିଥିଲା । ନିବେଶକମାନଙ୍କ ସମ୍ପତ୍ତି ମଧ୍ୟ ବହୁତ ବଢ଼ିଯାଇଥିଲା । କିନ୍ତୁ ସେମାନଙ୍କ ସେହି ଖୁସି ଅଧିକ ସମୟ ରହିନଥିଲା । ଦେଶରେ ଦୁଇଟି ନୂଆ କରୋନା ଭୂତାଣୁ ମାମଲା ସାମ୍ନାକୁ ଆସିଥିବା ଖବର ପ୍ରଚାରିତ ହେବା ପରେ ନିବେଶକମାନେ ସେୟାର ବିକ୍ରି କରିବା ଆରମ୍ଭ କରିଥିଲେ । ଯେଉଁ ସେନସେକ୍ସ ୧୩୦୦ ପଏଣ୍ଟ ଉପରକୁ ଉଠିଥିଲା ତାହା ସଙ୍ଗେ ସଙ୍ଗେ ଅସ୍ଥିର ହୋଇପଡ଼ିଲା । କାରବାର ଶେଷ ବେଳକୁ ଶୁକ୍ରବାର ଦିନର ବନ୍ଦ ତୁଳନାରେ ୧୫୩ ପଏଣ୍ଟ ହ୍ରାସ ପାଇ ସେନସେକ୍ସ ୩୮.୧୪୪ ପଏଣ୍ଟରେ ବନ୍ଦ ହୋଇଥିଲା । ସେହି ସମୟରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ୬୯ ପଏଣ୍ଟ ହ୍ରାସ ପାଇ ୧୧,୧୩୩ ପଏଣ୍ଟରେ ବନ୍ଦ ହୋଇଛି । ସୋମବାର ବମ୍ବେ ଷ୍ଟକ ବଜାର ଖୋଲିବା ମାତ୍ରେ ସେନସେକ୍ସରେ ୭୫୦ ପଏଣ୍ଟର ବୃଦ୍ଧି ଘଟିଥିଲା । ଏହା ପରେ ସେଥିରେ ଆଉ ୫୫୦ ପଏଣ୍ଟ ଭଳି ବୃଦ୍ଧି ହୋଇ୍ଥିଲା । ଏହା ପରେ ସେନସେକ୍ସରେ ଯେଉଁ ହ୍ରାସ ଘଟିଥିଲା ତାହାର ପ୍ରଭାବରେ ଷ୍ଟେଟ ବ୍ୟାଙ୍କ, ଟାଟା ଷ୍ଟିଲ, ହିରୋ ବଜାଜ, ଓଏନଜିସି ଓ ଏନଟିପିସିର ସେୟାର ମୂଲ୍ୟ କମିଥିଲା । ଗତ ଶୁକ୍ରବାର ସେନସେକ୍ସରେ ୧୪୪୮ ପଏଣ୍ଟର ହ୍ରାସ ଘଟିଥିଲା । ବିଗତ ସାତ କାରବାର ଦିନରେ ସେନସେକ୍ସରେ ୩୦୨୫ ପଏଣ୍ଟର ହ୍ରାସ ଘଟିଥିଲା । କରୋନା ଭୂତାଣୁ ଅନେକ ଦେଶକୁ ବ୍ୟାପୁଥିବାରୁ ନିବେଶକମାନେ ଚିନ୍ତିତ ହୋଇ ସେୟାର ବିକ୍ରି କରୁଛନ୍ତି । ବିଗତ ସାତ ଦିନରେ ନିବେଶକମାନେ ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଲେଣି । ଗତ ଶୁକ୍ରବାର ନିବେଶକମାନଙ୍କ ସାଢ଼େ ପାଞ୍ଚ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା । ଷ୍ଟକ ବଜାରରେ ଲାଗି ରହିଥିବା ଅସ୍ଥିରତା ଧନୀକ ଶ୍ରେଣୀର ଲୋକମାନଙ୍କ ସମ୍ପତ୍ତିକୁ କମ କରିଛି । ବିଶ୍ୱର ଏକ ନମ୍ବର ଧନୀ ଜେଫ ବେଜୋସଙ୍କ ଠାରୁ ଆରମ୍ଭ କରି ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ଧନୀଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଘଟିଛି ।