ଅନୁଷ୍ଠିତ ହେବ ଶ୍ରୀମନ୍ଦିରରେ ପହିଲି ଭୋଗ, ଜାଣନ୍ତୁ କେବେ

ଅନୁଷ୍ଠିତ ହେବ ଶ୍ରୀମନ୍ଦିରରେ ପହିଲି ଭୋଗ, ଜାଣନ୍ତୁ କେବେ

ଅନୁଷ୍ଠିତ ହେବ ଶ୍ରୀମନ୍ଦିରରେ ପହିଲି ଭୋଗ, ଜାଣନ୍ତୁ କେବେ
ପୁରୀ: ଆଗାମୀ ୧୫ ତାରିଖ ଧନୁସଂକ୍ରାନ୍ତିଠାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ବାପଘରକୁ ଯାଉଥିବାରୁ ବଡ଼ି ସକାଳୁ ମା’ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କୁ ଖାଇବାକୁ ଦେବେ । ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କ ପହିଲି ଭୋଗ ଅନୁଷ୍ଠିତ ହେବ । ଛତିଶା ନିଯୋଗ ବୈଠକରେ ଶନିବାର ଏଥିପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଭୋର ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ । ଏହା ପରେ ଭିତରଶୋଧ, ମଙ୍ଗଳଆଳତି, ରୋଷହୋମ, ମଇଲମ, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବ । ସକାଳ ୬ ଟା ୨୦ ରୁ ୬ଟା ୫୦ ମଧ୍ୟରେ ମହାପ୍ରଭୁଙ୍କ ବେଶ କରାଯିବ । ସକାଳ ୬ ଟା ୫୦ ରେ ପହିଲି ଭୋଗ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି । ସକାଳ ୭ଟାରୁ ୯ଟା ମଧ୍ୟରେ ସକାଳ ଧୂପ, ୮ଟା ୪୫ ରୁ ୧୦ ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ । ଦିନ ୧୨ଟାରୁ ୨ଟା ମଧ୍ୟରେ ଦ୍ୱିତୀୟ ଭୋଗ ମଣ୍ଡପ ଏବଂ ଦକ୍ଷିଣ ଘର ଭୋଗ କରାଯାଇ ମହାପ୍ରଭୁଙ୍କୁ ଦିନ ପହୁଡ଼ କରାଯିବ । ଅପରାହ୍ନ ୪ଟାରେ ପହୁଡ ଦ୍ୱାର ଖୋଲାଯିବା ପରେ ସନ୍ଧ୍ୟା ୫ଟା ରେ ସନ୍ଧ୍ୟା ଆଳତି କରାଯିବ । ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ମଇଲମ ଏବଂ ବେଶ ରାତି ୬ଟାରୁ ୮ ଟା ମଧ୍ୟରେ ସନ୍ଧ୍ୟାଧୂପ ୮ଟା ୩୦ ରେ ମଇଲମ, ରାତି ୯ଟା ୩୦ ରେ ଚନ୍ଦନଲାଗି, ରାତି ୧୦ଟାରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ, ରାତି ୧୦ଟା ୪୫ ରେ ଟୋପରଲାଗି କରାଯିବ । ରାତି ୧୧ଟାରେ ରାତ୍ରପହୁଡ଼ କରାଯିବାକୁ ସ୍ଥିର ହୋଇଛି । ସେହିପରି ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ଏବଂ ଦେବାଭିଷେକ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପୌଷପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ସୁନାବେଶ କରାଯିବା କାର୍ଯ୍ୟକ୍ରମ ରହିଛି ।