ଭୁଲ ସମସ୍ତଙ୍କ ଦ୍ୱାରା ହୁଏ, ମୋକିମ ଓ ଚିରଞ୍ଜୀବଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିବି
ଭୁବନେଶ୍ବର: ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସର ଦୁଇ ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ଦଳ ବିରୋଧୀ କାମ କରିଛନ୍ତି କି ନାହିଁ, ମୁଁ ଜାଣିନି। ଏଆଇସିସି କିଛି ତଥ୍ୟ ପାଇଁ କାର୍ୟ୍ୟାନୁଷ୍ଠାନ ନେଇଛି। ହେଲେ ମୁଁ ଦିଲ୍ଲୀ ଯାଇ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସହ ଆଲୋଚନା କରି ସମାଧାନ କରି ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିବି। ଭୁଲ ସମସ୍ତଙ୍କ ଦ୍ୱାରା ହୁଏ। ସେମାନଙ୍କ ଦ୍ୱାରା ହୋଇଛି, ମୁଁ ବି ଭୁଲ କରେ। ତେବେ ସେମାନଙ୍କୁ ଦଳକୁ ଫେରାଇ ଆଣିବା କଥା। ୨୦୨୪ ନିର୍ବାଚନରେ ଏହାର କିଛିଟା ଫରକ ତ ପଡିବ। ହେଲେ କଂଗ୍ରେସ କାହା ପାଇଁ ଅପେକ୍ଷା କରିନି, ଏହା ୧୪୦ ବର୍ଷର ଦଳ। ସେମାନେ ଫେରି ଆସିଲେ ଭଲ ହୁଅନ୍ତା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।
ଖବର ଅନୁଯାୟୀ, ଦଳ ବିରୋଧୀ କାର୍ୟ୍ୟକଳାପ ପାଇଁ ଗତକାଲି ଏଆଇସିସି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କରିଥିଲା ଏଆଇସିସି । ଦଳ ବିରୋଧୀ କାର୍ୟ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଗତକାଲି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଥିଲା।