ଛାତ୍ର ସଂସଦ ନିର୍ବାଚନ କରିବାକୁ ଜନସ୍ବାର୍ଥ ମାମଲା

ଛାତ୍ର ସଂସଦ ନିର୍ବାଚନ କରିବାକୁ ଜନସ୍ବାର୍ଥ ମାମଲା

କଟକ : ଚଳିତବର୍ଷ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରାର୍ଥନା କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ୍‌ ପଟ୍ଟନାୟକ ଓ ଜାତୀୟ କାର୍ୟ୍ୟକାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି।

୫ବର୍ଷ ଧରି ଶିକ୍ଷାନୁଷ୍ଠାନରେ ସଂସଦ ନିର୍ବାଚନ ହେଉନାହଁ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସଗୁଡ଼ିକ ଉଚ୍ଛୃଙ୍ଖଳ ଓ ଅଶାନ୍ତ ରହିବା ଏବଂ ଲିଙ୍ଗ୍‌ଡୋ ନିୟମ ପାଳନ କରାନଯିବା ଦର୍ଶାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରାଉନାହାନ୍ତି। ଲିଙ୍ଗ୍‌ଡୋ କମିସନ ରିପୋର୍ଟ ଏବଂ ସମ୍ବିଧାନର ଆର୍ଟିକିଲ ୧୯ (୧ଗ) ବିରୁଦ୍ଧାଚରଣ କରି ଏତାଦୃଶ ନିର୍ଦେଶ ସମ୍ବିଧାନ ଓ ଲିଙ୍ଗ୍‌ଡୋ କମିସନର ପରିପନ୍ଥୀ ବୋଲି ପିଟିସନରେ ଦର୍ଶାଯାଇଛି। ମାମଲାରେ ମୁଖ୍ୟ ସଚିବ, ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ, ଗଣ ଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।