ରାଜ୍ୟକୁ ନାବାର୍ଡର ୩୧,୦୯୬ କୋଟି ସହାୟତା

ରାଜ୍ୟକୁ ନାବାର୍ଡର ୩୧,୦୯୬ କୋଟି ସହାୟତା

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ନିରନ୍ତର କୃଷି ଓ ଗ୍ରାମୀଣ ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ ପ୍ରତିଷ୍ଠା ହାସଲ କରିଛି। ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ସରକାର ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ମିଶି ରାଜ୍ୟରେ କୃଷି ଏବଂ ଗ୍ରାମାଞ୍ଚଳର ନିରନ୍ତର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଜଳାଶୟ ବିକାଶ, ଆଦିବାସୀ ବିକାଶ, ଏଫ୍‌ପିଓର ଉନ୍ନତି, ଦକ୍ଷତା ପଦକ୍ଷେପ, ଲଘୁ ଉଦ୍ୟୋଗୀଙ୍କ ଉନ୍ନତି, ଆର୍ଥିକ ଅନ୍ତଭୁର୍କ୍ତୀକରଣ ଆଦି ବିକାଶମୂଳକ ଓ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ଜରିଆରେ ଚାଷୀ ଓ ଗ୍ରାମୀଣ ଲୋକଙ୍କ ସୁବିଧା ପାଇଁ ନାବାର୍ଡ କାର୍ଯ୍ୟ କରୁଛି। 

୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟକୁ ନାବାର୍ଡ ୩୧,୦୯୬ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ତଥା ଫସଲ-ଋଣ ଏବଂ ମିଆଦୀ ଋଣ ପାଇଁ ବ୍ୟାଙ୍କ/ଆର୍ଥିକ ପ୍ରତିଷ୍ଠାନକୁ ରିହାତି ରିଫାଇନାନ୍ସ ପାଇଁ ଆର୍ଥିକ ସହାୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ନାବାର୍ଡ ଓ ନବକିଷାନର ମିଳିତ ସହଯୋଗରେ ୧୦୦ ଦିନ ମଧ୍ୟରେ ‘ଏଫ୍‌ଜିଓ ଅଭିଯାନ’ ଅଧୀନରେ ୧୦୧ଟି ଏଫ୍‌ପିଓକୁ ସଫଳତାର ସହିତ କ୍ରେଡିଟ୍-ଲିଙ୍କ୍ କରାଯାଇଛି। ଛେଳି ଚାଷ, କୁକୁଡ଼ା ଚାଷ ଆଦି ଆଦିବାସୀ ବିକାଶ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବାରେ ଜେଏଲ୍‌ଜି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।