ଟ୍ବିଟର ହେଲା ‘ଏକ୍ସ’

ଟ୍ବିଟର ହେଲା ‘ଏକ୍ସ’

ନୂଆଦିଲ୍ଲୀ : ଟ୍ବିଟର ଏହାର ଦୀର୍ଘଦିନର ପରିଚୟ ହରାଇଛି। ନୂଆ ମାଲିକ ଏଲନ୍‌ ମସ୍କ ଟ୍ବିଟରର ଚର୍ଚ୍ଚିତ ନୀଳ ଚଢ଼େଇକୁ ହଟାଇ ଦେଇଛନ୍ତି। ସେହି ସ୍ଥାନରେ ଇଂରାଜି ଅକ୍ଷର ‘ଏକ୍ସ’ ବ୍ୟବହାର କରିଛନ୍ତି। ବର୍ତ୍ତମାନ ଏହି ପରିବର୍ତ୍ତନ ଡେସ୍କଟପ୍‌ରେ କରାଯାଇଥିବା ବେଳେ ମୋବାଇଲ୍‌ ଆପ୍‌ରେ କିନ୍ତୁ ନୀଳ ଚଢ଼େଇ ଏବେବି ରହିଛି। ଟ୍ବିଟରର ଆମେରିକା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ‘ଏକ୍ସ’ ଲେଖାଯାଇଛି। ସେହି ଫଟୋକୁ ମସ୍କ ଆଜି ଟ୍ବିଟରରେ ସେୟାର କରିଛନ୍ତି।

‘ଏକ୍ସ’ ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି। ଟେସ୍‌ଲାର କାର୍‌ ମଡେଲ୍‌ର ନାମ ଏକ୍ସ ରଖିବାଠାରୁ ଆରମ୍ଭ କରି ମହାକାଶ ଗବେଷଣା ସଂସ୍ଥା ସ୍ପେସ୍‌ଏକ୍ସ ରଖିବା ପର୍ଯ୍ୟନ୍ତ ତାଙ୍କ ଜୀବନରେ ‘ଏକ୍ସ’ର ଅକ୍ଷରର ବେଶ ମହତ୍ବ ରଖିଛି। ୧୯୯୯ ପରଠାରୁ ସେ ଏକ୍ସ ପ୍ରେମ୍‌ରେ ପଡ଼ିଥିବା ଜଣାପଡ଼ିଛି। ଚୀନ୍‌ର ୱିଚାଟ୍ ଭଳି ମସ୍କ ଏକ ସୁପର୍‌ ଆପ୍ ବିକାଶ କରିବାକୁ ଚାହୁଛନ୍ତି ଯାହାର ନାମ ସେ ‘ଏକ୍ସ’ ରଖିବାକୁ ଚାହୁଛନ୍ତି।

ସେହି ବୃହତ ଯୋଜନାର ଅଂଶ ଭାବେ ଗତବର୍ଷ ସେ ଟ୍ବିଟରକୁ ୪୪୦୦ କୋଟି ଟଙ୍କାରେ କିଣିଥିଲେ। ଟ୍ବିଟରକୁ ଏକ୍ସରେ ରୂପାନ୍ତରୀତ କରିବା ଲାଗି ସେ ନୂଆ ସିଇଓ ଲିଣ୍ଡା ୟାକାରିନୋଙ୍କୁ ଦାୟିତ୍ବ ଦେଇଛନ୍ତି। ଗତକାଲି ରାତିରେ ସେ twitter.comକୁ ବଦଳାଇ X.com କରିଥିଲେ। ଆଜି ଡେସ୍କଟପ୍‌ରେ ନୂଆ ଲୋଗୋ ‘ଏକ୍ସ’କୁ ଲାଗୁ କରିଛନ୍ତି।