ଦିବ୍ୟ ଅନୁଭବ, ମୋ କାଳିଆ ଠାକୁର - ମଳୟ ସ୍ବାଇଁ
ଏ ସମଗ୍ର ବିଶ୍ବ ପ୍ରଭୁ ଲୀଳାମୟ, ଭାବ ବିନୋରିଆ ପରମେଶ୍ୱର ଶ୍ରୀ ଜଗନ୍ନାଥଙ୍କ ସୃଷ୍ଟି । ଓଡ଼ିଶା ମୋର ଜନ୍ମଭୂମି । ଓଡ଼ିଶା ଏକ ମଧୁର ଓ ପବିତ୍ର ନାମ । ବିଚିତ୍ର ବିଶାଳ ଏ ମୋର ଉତ୍କଳ ଜନନୀ ବିଚିତ୍ର ବିଶ୍ଵକର୍ମା ଲୀଳାମୟ ପ୍ରଭୁ ଜଗନ୍ନାଥଙ୍କର ସୃଷ୍ଟି ଏ ମୋର ଓଡ଼ିଶା ପ୍ରଦେଶ।
"କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର।
ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର"।।
ଓଡ଼ିଶାର ଅନୁଗୁଳ ଜିଲ୍ଲାର ଜେମସୁରପଡ଼ାରେ ମୋର ଘର। ଗତ ଦୁଇବର୍ଷ ହେଲା ଏ ବିଶ୍ବ ବିମାରୀ କରୋନାର ପ୍ରକୋପରେ ମୁଁ ମୋର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ ପାଇ ପାରିନଥିଲି । ସେଥିପାଇଁ ଏ ବର୍ଷ ରାକ୍ଷୀପୂର୍ଣ୍ଣିମା ଦିନ ମୁଁ ମୋର ପରିବାରକୁ ସାଙ୍ଗରେ ଧରି ପୁରୀ ଯିବାକୁ ବାହାରିଲି । ଭୁବନେଶ୍ବରରେ ପହଞ୍ଚିଲା ବେଳକୁ ହଠାତ୍ ଖୁବ୍ ଯୋରରେ ବର୍ଷା ହେଲା । ସେଠାରେ ମୋର ଜଣେ ବନ୍ଧୁ ଦେଖା ହେଲେ, ଏବଂ ଆମ ମାନଙ୍କର ପୁରୀ ଯିବା ଶୁଣି ସେ ଆମକୁ ଯିବାକୁ ବାରଣ କଲେ । କାରଣ ସେ ସମୟରେ ବହୁତ ଜୋରରେ ବର୍ଷା ହେବା ସହିତ ବହୁତ ଭିଡ଼ ମଧ୍ୟ ହୋଇଥିଲା । କିନ୍ତୁ ମୋ ବନ୍ଧୁଙ୍କ ବାରଣ ସତ୍ବେ ମୁଁ ମୋର ମନ କାଳିଆ ଠାକୁର ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବହୁତ ବ୍ୟାକୁଳ ହୋଇ ଉଠୁଥିଲା। ମନରେ କେବଳ ଗୋଟିଏ ଇଚ୍ଛା ଓ ଆଙ୍କାକ୍ଷା ଥାଏ କେମିତି ପୁରୀରେ ପହଞ୍ଚିବି। କେମିତି ଲୀଳାମୟଙ୍କ ଆଖିରେ ମୋ ଆଖି ମିଶିଯିବ ଓ କୋଟି କୋଟି ଜନ୍ମର ପାପ ପଙ୍କରୁ ଉଦ୍ଧାର ମିଳିବ । ଏମିତି ମୋ ମନରେ ଆଶା ବାନ୍ଧି ଧାରା ଶ୍ରାବଣ ଝରଝର ବର୍ଷାର ଧାରାରେ ମୁଁ ଆଗକୁ ଆଗକୁ ପୁରୀ ଅଭିମୁଖେ ମୋର ପରିବାରକୁ ସାଙ୍ଗରେ ଧରି ଚାଲିଲି । ମନରେ ଏମିତି ଭାବିଲି-
"ତୁମେ ଦୟାକଲେ ସବୁ ହିଁ ସମ୍ଭବ ତୁମେ ତ ଭାଗ୍ୟ ବିଧାତା ଭକ୍ତଙ୍କ ଗୁହାରି ଶୁଣ ମନ୍ଦିରରେ କୁହ ନାହିଁ ପଦେ କଥା"।
ମନରେ ବିଚାର କଲି ଯଦି ଏ ଶ୍ରାବଣର ବର୍ଷା ଧାରା ଓ ଜନଗହଳିର ସମସ୍ୟା ମୋ ରାସ୍ତାରେ ପ୍ରତିବନ୍ଧକ ହୋଇ ଠିଆ ହୋଇଛି, ନିଶ୍ଚୟ ଏହାର ସମାଧାନ ମଧ୍ୟ ଜନ୍ମ ନେଇ ସାଲିଥିବ। ତେଣୁ ମୁଁ ସମୟରେ ବିଚଳିତ ନ ହୋଇ ସେ ସବୁକୁ ସାମନା କରି ପୁରୀରେ ଯାଇ ଭଲରେ ଭଲରେ ମୋ ପରିବାର ସହିତ ପୁରାତ ସମୟରେ ପହଞ୍ଚିଲି । ହଠାତ୍ ଦେଖିଲି ଏତେ ଜୋରରେ ହେଉଥିବା ବର୍ଷା ବନ୍ଦ ହୋଇଗଲା । ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବାହାରି ଗଲୁ । ବହୁ ଆନନ୍ଦର ସହିତ ମହାପ୍ରଭୁଙ୍କର ବାହାର କଠ ପାଖରୁ ଦର୍ଶନ କଲୁ । ମହାପ୍ରଭୁଙ୍କର ଦର୍ଶନ ପରେ ମୋତେ ଏମିତି ଅନୁଭବ ହେଲା ଯେମିତି ଗତ ଦୁଇବର୍ଷର ଅପେକ୍ଷାର ଅନ୍ତ ଘଟିଲା । କିନ୍ତୁ ମହାପ୍ରଭୁଙ୍କୁ ଯେତେ ଦର୍ଶନ କଲେ ବି’ ମୋର ମନ ମାନୁ ନଥାଏ । ଆହୁରି କେମିତି ପ୍ରଭୁଙ୍କ ନିକଟତର ହୋଇପାରିବି ଏବଂ ଦ୍ଵିତୀୟ ଥର ଦର୍ଶନ କରିବି, ଏହି ଅଭିଳାଷ ମନରେ ଉଙ୍କି ମାରୁଥାଏ । ଏହି ଆଶା ମୋର ମନରେ ଧରି ମୁଁ ମୋର ପରିବାର ସହିତ ଶ୍ରୀମନ୍ଦିରରୁ ଫେରି ହୋଟେଲରେ ରହିଲୁ। ଅପରାହ୍ନ ସମୟରେ ସମୁଦ୍ର କୂଳକୁ ବୁଲିବାକୁ ଗଲୁ । ସେଠାରେ ବୁଲାବୁଲି କରି ସାରିବା ପରେ ପୁନର୍ବାର ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସମସ୍ତେ ଆସିଲୁ । ଅରୁଣସ୍ଥମ୍ଭ ପାଖରୁ ପତିତପାବନକୁ ମୁଣ୍ଡିଆଟିଏ ମାରି ବାଇଶ ପାହାଚ ଦେଇ ମନ୍ଦିର ଆଡ଼କୁ ଅଗ୍ରସର ହେଲୁ |
ଶ୍ରୀମନ୍ଦିରରେ ପରିବାରସହ ମୁଁ ବହୁତ ଭଲଭାବରେ ପ୍ରଭୁଙ୍କ ଦର୍ଶନ କରିଲୁ । ଦର୍ଶନ ସମୟରେ ମୋର ମନରେ ଗୋଟିଏ ଇଚ୍ଛା ସୃଷ୍ଟି ହେଲା କି ମୋର ପରିବାର ସହିତ ଭିତର କାଠ ନିକଟରେ ରହି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ ପାଆନ୍ତି କି? ଏହି କଥା ମୁଁ ମୋର ପତ୍ନୀଙ୍କ ସଙ୍ଗରେ କଥା ହେଉଥାଏ କି କେଉଁ ସେବାୟତଙ୍କ ସାହାଯ୍ୟରେ ଆମେ ସୁରୁଖୁରୁରେ ଶ୍ରୀଜୀଉଙ୍କ ଦର୍ଶନ କରିପାରନ୍ତେ କି ? ଠିକ୍ ଏହି ସମୟରେ ଜଣେ ଅଳ୍ପ ବୟସର ଯୁବ ସେବାୟତ ଆମ୍ଭମାନଙ୍କ ପାଖକୁ ଆସିଲେ ଏବଂ ଆମ୍ଭମାନଙ୍କ କଥା ସେ ଶୁଣି ପାରିଥିଲେ। ମୋ ସାଙ୍ଗରେ ଆସନ୍ତୁ ମୁଁ ତୁମକୁ ଭିତର କାଠ ନିକଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରାଇଦେବି । ଏହା କହି ସେ ମୋର ହାତ ଧରି ଆଗକୁ ଆଗକୁ ଟାଣି ନେଲେ । ଏବଂ ଭିତର କାଠ ପାଖରେ ଆମେ ସମସ୍ତେ ରତ୍ନସିଂହାସନରେ ଆମ ଆରାଧ୍ୟ ଦେବତା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁଙ୍କୁ ଅପଲକ ନୟନରେ ଅନାଇଥାଉ । ଆଖିରୁ ଅଜାଣତରେ ଲୁହ ବହି ଯାଉଥାଏ, ସେ ଅବର୍ଣ୍ଣନୀୟ ମୃଦୁର୍ତ୍ତରେ ମୋର ଲୋମ ଟାଙ୍କୁରି ଉଠୁଥିଲା । ମନେ ମନେ ଭାବୁଥିଲି ସତରେ ପ୍ରଭୁ ଭାବ ବିନୋଦିଆ ସେ ଅନ୍ତରର ସବୁ କଥା ଜାଣିପାରନ୍ତି । ସେ ହେଉଛନ୍ତି ଅନ୍ତର୍ଯ୍ୟାମି, ଭିତର କାଠ ନିକଟରେ ତୁମକୁ ଦର୍ଶନ କରି ଆମେ ସମସ୍ତେ ଧନ୍ୟ ହୋଇଗଲୁ । ଏମିତି ଭାବରେ ଚତୁର୍ଦ୍ଧା ମୂରତିର ଦର୍ଶନ ପାଇଁ ମୁଁ ନିଜକୁ ତାଙ୍କ ଭିତରେ ହଜାଇ ଦେଇ ଭାବ ବିହୋଳ ହୋଇପଡ଼ିଥିଲି । ତା'ପରେ ପଛକୁ ଚାହିଁ ଦେଖିଲା ବେଳକୁ ସେହି ସେବାୟତ ଜଣକ ଆଉ ସେଠାରେ ନାହଁନ୍ତି । ସେ ଜାଗାରୁ ସେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ସେଠାରେ ତାଙ୍କୁ ବହୁତ ଖୋଜିଲି କିନ୍ତୁ ପାଇଲି ନାହିଁ । ଶେଷରେ ଆନନ୍ଦ ବଜାରରେ ଖୋଜିଲୁ, ନ ପାଇବାରୁ ମହାପ୍ରସାଦ ପାଇ ରାତ୍ରିଯାପନ ପାଇଁ ହୋଟେଲକୁ ଫେରି ଆସିଲୁ ।
ତା ପର ଦିନ ପ୍ରଭାତରୁ ଉଠି ନିଜ ନିଜର ନିତ୍ୟକର୍ମ ସାରି ପୁନର୍ବାର ମହାପ୍ରଭୁଙ୍କର ଦର୍ଶନ ନିମନ୍ତେ ଗଲୁ । କାଳିଆ ଠାକୁରଙ୍କୁ ଦର୍ଶନ କରି ସାରି ପୁଣି ସେହି ସେବାୟତ ଜଣଙ୍କୁ ଖୋଜିବାକୁ ଲାଗିଲି, କିନ୍ତୁ ପାଇଲି ନାହିଁ । ମୋ ମନରେ ଥିଲା ମୁଁ ତାଙ୍କ ପାଇଁ ଆଜି ମୋ ପରିବାର ସହିତ ଭିତର କାଠ ନିକଟରେ ରହି ଏତେ ଭଲ ଭାବରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିପାରିଛି, ଏସବୁ ତାଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିଛି । ମୁଁ ଖୁସିରେ ତାଙ୍କୁ କିଛି ପାରିଶ୍ରମିକ ମୂଲ୍ୟ ଦେବାକୁ ଚାହୁଁଥିଲି, କିନ୍ତୁ ସେତେବେଳେ ମୁଁ ଜାଣିପାରି ନଥିଲି ଯେ ମୁଁ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଏତେ ନିକଟରେ ପାଇଥିଲି ବୋଲି । ମୁଁ ବା’ ତାଙ୍କୁ ଜଣ ମୂଲ୍ୟ ଦେବି ? ଯିଏ ଅମୂଲ୍ୟ ମୁଁ ବା’ ତାଙ୍କ କଣ ମୂଲ୍ୟ ଦେବି ? ସେ ତ ନିଜେ ସୃଷ୍ଟିର କର୍ତ୍ତା । କିନ୍ତୁ ମୁଁ ତାଙ୍କୁ ଏତେ ନିକଟରେ ପାଇ ମଧ୍ୟ ଚିହ୍ନିପାରି ନାହିଁ । ବହୁତ ବିଳମ୍ବ କରିଦେଲି ସେ କାଳିଆ ଠାକୁରଙ୍କର ମାୟା ବୁଝିବାକୁ । ପ୍ରଭୁ ମୋତେ ସେ ଅଳ୍ପ ବୟସର ସେବାୟତ ରୂପରେ ଦର୍ଶନ ଦେଇଥିଲେ । ଏହି ଅବଶେଷ ଧରି ମୁଁ ସେଠାରୁ ଫେରିଲି । ଏ ସଂସାଇର ଘଡ଼ିକୁ ଠିକ୍ କରିବା ପାଇଁ ଅନେକ ଲୋକ ଅଛନ୍ତି କିନ୍ତୁ ସମୟକୁ ଠିକ୍ କରିବା ପାଇଁ ତୁମେ ହିଁ ଏକମାତ୍ର ଜଣେ I ତୁମରି କୃପାରୁ ଆମେ ଆଜି ଓଡ଼ିଶାବାସୀ କରୋନା କବଳରୁ ସୁରକ୍ଷିତ ।
ଆପଣଙ୍କ କୃପା ସବୁବେଳେ ଏମିତି ଥାଉ ପ୍ରଭୁ, ମୋତେ ସର୍ବଦା ଏ ପାପ ପ୍ରଙ୍କରୁ ଉଦ୍ଧାର କରି ସତକର୍ମରେ ସବୁବେଳେ ନିଜକୁ ନିୟୋଜିତ କରିବା ପାଇଁ ସଦା ସର୍ବଦା ଓ ଶକ୍ତି ଦିଅନ୍ତୁ । ମୋ କାର୍ଯ୍ୟରୁ ଅବସର ଗ୍ରହଣ କଲାପରେ ମୋର ମାତୃଭୂମି ପାଇଁ ମୋ ମନରେ କିଛି ସ୍ବପ୍ନ ସାଇତି ରଖିଛି । ସେହି ଦିବ୍ୟ ଚେତନାକୁ କେବଳ ତୁମରି ଆଶୀର୍ବାଦରେ ହିଁ ମୁଁ ପୂରଣ କରିପାରିବି । ସମାଜର ମଙ୍ଗଳ ପାଇଁ ଅଗ୍ରସର ହେବି । ମେର ଓଡ଼ିଶା ଦେବଭୂମି, ତ୍ୟାଗଭୂମି ଓ ପୂଣ୍ୟଭୂମି ରୂପେ ବିଶ୍ବଜନରେ ତୁମରି ପାଇଁ ହିଁ ପରିଚିତ । ଏ ସଂସାରର କୁଟକପଟୀ ଲୋକଙ୍କ ଠାରୁ ମୋତେ ସର୍ବଦା ଦୂରେଇ ରଖିବ । ସବୁବେଳେ ସତ ପଥରେ ଯିବାପାଇଁ ବାଟ ଦେଖାଇବ ପ୍ରଭୁ । ଜୀବନ ଦୀପର ବିଶ୍ଵାସ ସଳିତା ତୁମ ପାଇଁ ଜଳୁଥାଉ, ଆୟୁଷର ଘିଅ ସରିଗଲେ ପ୍ରଭୁ ତୁମ ପାଦେ ଲିଭିଯାଉ। ତୁମେ ଦେଇଥିବା ମହତବାଣୀ “କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟଗତି ନାହିଁ’’ ତୁମେ ମହାନ, ତୁମ କ୍ଷେତ୍ର ମହାନ, ତୁମ ବିଶ୍ବର ଲୀଳା ମହାନ, ତୁମ ଜଗନ୍ନାଥ ତ, ମହାନ ।
ଜୟ ଜଗନ୍ନାଥ
ମଳୟ କୁମାର ସ୍ୱାଇଁ
ହେମସୁରପଡ଼ା, ଅନୁଗୋଳ
ମୋବାଇଲ ନଂ- ୯୪୩୭୧ ୪୨୬୬୬




Keonjhar-old 