3D ଫର୍ମାଟରେ ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

3D ଫର୍ମାଟରେ ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ : ଆଜିଠୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ କରାଯିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌‌ଆଇକୁ ପୂର୍ବରୁ ଅନୁମତି ଦିଆସରିଛି। କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା। ତେବେ ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ ହେବ। ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର୍‌ ସ୍କାନିଂ କରାଯିବ। ଏଥିସହ ଶ୍ରୀମନ୍ଦିର ପରିସର ଅନ୍ୟାନ୍ୟ ଛୋଟବଡ଼ ମନ୍ଦିରର ମଧ୍ୟ ସ୍କାନିଂ କରାଯିବା ଲାଗି ନିଷ୍ପତ୍ତି ହୋଇଛି।

ସକାଳ ଧୂପ ପରେ ଏହାକୁ କରାଯିବାକୁ ଲକ୍ଷ ରଖାଯାଇଛି। ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ।| ସ୍କାନିଙ୍ଗ ପାଇଁ ମୁମ୍ବାଇର ସେନଜେନ କମ୍ପାନୀରୁ ଆସିଛନ୍ତି ୩ଜଣ ଇଞ୍ଜିନିଅର। ଯେଉଁ ମାନେ ଏଏସ୍‌‌ଆଇ ଅଧୀନରେ ଥିବା ସମସ୍ଥ ଐତିହ୍ୟର ଲେଜର ସ୍କାନିଙ୍ଗ ସହ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି। 3D ଫର୍ମାଟ ରେ ଏହି ସ୍କାନିଙ୍ଗ କରାଯିବ। ଯେଉଁ ଥିରେ ପ୍ରକୃତରେ କଣ ସମସ୍ୟା ରହିଛି ତାହା ସଠିକ ଭାବେ ଜଣାପଡିବ। ତେବେ ଇଞ୍ଜିନିଅର ମାନଙ୍କ ସହ ଏଏସ୍‌‌ଆଇ ଅଫିସିଆଲ, ଶ୍ରୀମନ୍ଦିର ପ୍ରଶାସନର ଇଞ୍ଜିନିଅର ଓ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧି ରହିଛନ୍ତି। ବିଭିନ୍ନ ସମୟରେ ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଏଏସ୍‌‌ଆଇ ଲେଜର ସ୍କାନିଂ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲା। ତେଣୁ ଏଏସ୍‌‌ଆଇକୁ ଲେଜର ସ୍କାନିଂ ପାଇଁ ଅନୁମତି ଦେଇସାରିଛି ମନ୍ଦିର ପ୍ରଶାସନ। ଗତ ୪ତାରିଖରେ ଅନୁଷ୍ଠିତ ହୋଇଥିଲା ରତ୍ନଭଣ୍ଡାର ସବ୍‌‌ କମିଟି ବୈଠକ। ଏଥିରେ ବିସ୍ତୃତ ଭାବେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହେବା ସହ ଲେଜର୍‌ ସ୍କାନିଂ ନେଇ ମଧ୍ୟ ତର୍ଜମା କରାଯାଇଥିଲା।