ରାଗୁଆ ଲଙ୍କା ‘ପେପ୍ପର ଏକ୍ସ’
ବିଶ୍ବର ସବୁଠୁ ରାଗୁଆ ଲଙ୍କା ‘କାରୋଲିନା ରିପର’ ପ୍ରଜାତିର ଲଙ୍କାକୁ ବୁଝାଯାଏ। ତେବେ ଏଣିକି ଏକ ନୂଆ ପ୍ରଜାତିର ଲଙ୍କା ସେ ସ୍ଥାନ ଅଧିକାର କରିନେଇଛି। ‘ପେପ୍ପର ଏକ୍ସ’ ପ୍ରଜାତିର ଲଙ୍କାକୁ ଆନୁଷ୍ଠାନିକ ଭାବେ ବିଶ୍ବର ସବୁଠୁ ରାଗୁଆ ଲଙ୍କାର ମାନ୍ୟତା ମିଳିଛି। ଏହି ଲଙ୍କାରେ ୨୬,୯୩,୦୦୦ ଏସ୍ଏଚ୍ୟୁ ବା ସ୍କୋଭାଇଲ୍ ହିଟ୍ ୟୁନିଟ୍ସ ରହିଥିବା ବେଳେ ‘କାରୋଲିନା ରିପର’ରେ ୧୬,୪୦,୦୦୦ ଏସ୍ଏଚ୍ୟୁ ରହିଛି। ଏକ ତୁଳନାତ୍ମକ ଅନୁଧ୍ୟାନ ପାଇଁ ଅନ୍ୟତମ ରାଗୁଆ ଲଙ୍କା ତଥା ମେକ୍ସିକୋର ‘ଆଲେପିନୋ’ ଲଙ୍କାରେ ୩,୦୦୦ରୁ ୮,୦୦୦ ଯାଏ ଏସ୍ଏଚ୍ୟୁ ଥାଏ।
ଏସ୍ଏଚ୍ୟୁ ହେଉଛି ରାଗର ଏକକ ଯାହା ଲଙ୍କାରେ ରାଗ ସ୍ବାଦ ଆଣୁଥିବା କାପ୍ସାଇସିନ୍ ନାମକ ରାୟାୟନିକ ଯୌଗିକର ସାନ୍ଦ୍ରତା ନିର୍ଣ୍ଣୟ କରିଥାଏ। ‘ପେପ୍ପର ଏକ୍ସ’ରେ ରହିଥିବା ଏସ୍ଏଚ୍ୟୁକୁ ଦକ୍ଷିଣ କାରୋଲିନା ବିଶ୍ବବିଦ୍ୟାଳୟ ଦ୍ବାରା ଆକଳନ କରାଯାଇଛି, ଯାହା ଗତ ଚାରି ବର୍ଷ ହେଲା ବିଭିନ୍ନ ଲଙ୍କା ନମୁନା ଉପରେ ପରୀକ୍ଷଣ କରିଆସୁଛି।
ଆମେରିକାର ପକ୍କରବଟ୍ଟ୍ ପେପ୍ପର କମ୍ପାନିର ପ୍ରତିଷ୍ଠାତା ଏଡ୍ କ୍ୟୁରି ପେପ୍ପର ଏକ୍ସ ଲଙ୍କାର ଜନକ। ସେ ଦୀର୍ଘ ୧୦ ବର୍ଷ ହେଲା ଏହି ଲଙ୍କାର ବିକାଶ କରିବା ସହ ତାହାକୁ ଅନ୍ୟ ରାଗୁଆ ପ୍ରଜାତି ସହ କଲମୀ କରି ତାହାର ରାଗକୁ ବଢ଼ାଇ ପାରିଛନ୍ତି। ଲଙ୍କାର ମଞ୍ଜିରେ ସବୁଠୁ ଅଧିକ ରାଗ ରହିଥାଏ ବୋଲି ଆମମାନଙ୍କର ଧାରଣା ରହି ଆସିଛି। ମାତ୍ର ବାସ୍ତବରେ ମଞ୍ଜିକୁ ଧରି ରଖିଥିବା ତନ୍ତୁ ବା ପ୍ଳାସେଣ୍ଟାରେ ହିଁ କାପ୍ସାଇସିନ୍ ରହିଥାଏ। ‘ପେପ୍ପର ଏକ୍ସ’ର ବାହାର ପାର୍ଶ୍ବ ଅଙ୍କାବଙ୍କା ହେବା ସହ ଅନେକ ଧାର ରହିଛି। ତାହାର ରାଗ ମଧ୍ୟ ସର୍ବାଧିକ।




admin 