ଟ୍ରାଇ ତଥ୍ୟ: ରାଜ୍ୟରେ ୩ .୩୩ କୋଟି ମୋବାଇଲ୍ ଗ୍ରାହକ
ଭୁବନେଶ୍ବର: ସାଢ଼େ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ମୋବାଇଲ୍ ବ୍ୟବହାର କରୁଥିବା ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷରୁ ଅଧିକ ହୋଇଛି। ଫଳରେ ରାଜ୍ୟର ଟେଲି ସାନ୍ଧ୍ରତା ୭୬.୧୨% ହୋଇଛି। ଅର୍ଥାତ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ୍ ଫୋନ୍ ରହିଛି। କିନ୍ତୁ, ଏବେବି ଓଡ଼ିଶା ଜାତୀୟ ହାର ୮୪.୪୦ ପ୍ରତିଶତଠାରୁ ପଛରେ ରହିଛି।
ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତଥ୍ୟ ଅନୁସାରେ ୨୦୨୩ ମେ’ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷ ୨୫ ହଜାର ୬୯୦ ହୋଇଛି। ଏପ୍ରିଲ୍ରେ ତାହା ୩ କୋଟି ୩୨ ଲକ୍ଷରୁ ଅଧିକ ଥିଲା। ମେ’ ମାସରେ ୧ ଲକ୍ଷ ୧୦ ହଜାର ୨୯୦ ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି। ଜିଓର ଗ୍ରାହକ ସଂଖ୍ୟା ସର୍ବାଧିକ ୭୬,୩୭୨ ବଢ଼ିଥିବା ବେଳେ ଏୟାରଟେଲ୍ ୫୭,୨୦୮ ନୂଆ ଗ୍ରାହକ ଯୋଡ଼ିଛି। ଏହି ସମୟରେ ଅନ୍ୟ ଦୁଇ ଟେଲିକମ୍ ଅପରେଟର ଭୋଡାଫୋନ୍ ଆଇଡିଆ ଓ ବିଏସ୍ଏନ୍ଏଲ୍ ଯଥାକ୍ରମେ ୭,୫୨୧ ଓ ୧୫,୭୬୯ ଗ୍ରାହକଙ୍କୁ ହରାଇଛନ୍ତି।
ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ୍ରେ ଏୟାରଟେଲ୍ର ୧ କୋଟି ୧୨ ଲକ୍ଷ ୭୨ ହଜାର ୮୫୭, ଭୋଡାଫୋନ୍ ଆଇଡିଆର ୧୫ ଲକ୍ଷ ୯୬ ହଜାର ୬୪୯, ବିଏସ୍ଏନ୍ଏଲ୍ର ୬୨ ଲକ୍ଷ ୨୦ ହଜାର ୩୦୬ ଓ ଜିଓର ୧ କୋଟି ୪୧ ଲକ୍ଷ ୨୫ ହଜାର ୫୪୧ ଗ୍ରାହକ ଥିଲେ। ମେ’ ସୁଦ୍ଧା ଏୟାରଟେଲ୍ ଗ୍ରାହକ ସଂଖ୍ୟା ୧ କୋଟି ୧୩ ଲକ୍ଷ ୩୦ ହଜାର ୮୩ ଓ ଜିଓର ୧ କୋଟି ୪୨ ଲକ୍ଷ ଏକ ହଜାର ୯୧୩କୁ ବୃଦ୍ଧି ପାଇଥିବା ବେଳେ ବିଏସ୍ଏନ୍ଏଲ୍ ଗ୍ରାହକ ସଂଖ୍ୟା ୬୨ ଲକ୍ଷ ୧୨ ହଜାର ୭୮୫ ଓ ଭୋଡାଫୋନ୍ ଆଇଡିଆର ୧୫ ଲକ୍ଷ ୯୬ ହଜାର ୬୪୯କୁ ହ୍ରାସ ପାଇଛି।




user1 