ଛୁଟି ଥିଲେ ବି ନିୟମିତ ବିଦ୍ୟାଳୟ ଆସିବେ ଶିକ୍ଷକ ଶିକ୍ଷୟିତ୍ରୀ

ଛୁଟି ଥିଲେ ବି ନିୟମିତ ବିଦ୍ୟାଳୟ ଆସିବେ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର : ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଭାବେ ବିଦ୍ୟାଳୟକୁ ଆସିବେ। ମେ’ ୪ ତାରିଖ ପର୍ୟ୍ୟନ୍ତ ଧାର୍ୟ୍ୟ ସମୟରେ ପହଞ୍ଚି କାର୍ୟ୍ୟ କରିବେ। ମାଧ୍ୟାହ୍ନ ଭୋଜନ ରୋଷେୟା ଓ ସହାୟିକାମାନେ ମଧ୍ୟ ଉପସ୍ଥିତ ରହିବେ। ନାମଲେଖା, ବିନିଯୋଗ ପ୍ରମାଣପତ୍ର(ୟୁସି), ଟାଇମ୍‌ଟେବୁଲ୍‌ ସମେତ ଅନ୍ୟାନ୍ୟ କାର୍ୟ୍ୟ ଜାରି ରହିଥିବାରୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯିବନାହିଁ। ଏହି ସମୟ ମଧ୍ୟରେ ମାଧ୍ୟାହ୍ନ ଭୋଜନର ମହଜୁଦ, ସ୍ବଚ୍ଛତା, ଗ୍ୟାସ୍‌, କିଚେନ୍‌ ସେଡ୍‌, ଶୌଚାଳୟ ଆଦି ସୁବିଧାର ତଦାରଖ କରିବେ। ମେ’ ୪ ପରେ ଶିକ୍ଷକ ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟି କରିବେ ବୋଲି ଗଣଶିକ୍ଷା ବିଭାଗ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରୀଷ୍ମ ଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହେବାକୁ ଥିବା ‘ଅବସରକାଳୀନ ଗୃହକାର୍ୟ୍ୟ’ ସମ୍ପର୍କରେ ଏସ୍‌ଓପି ଜାରି ହୋଇଛି। ପ୍ରାଥମିକ ଶିକ୍ଷା‌ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୯ମ ଓ ଦଶମ ଛାତ୍ରଛାତ୍ରୀଙ୍କ ଲାଗି ଆସାଇନ୍‌ମେଣ୍ଟ ସିଟ୍‌ ପ୍ରସ୍ତୁତ କରାଯାଇ ଜିଲ୍ଲାସ୍ତରକୁ ପଠାଯାଇଛି।  ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷକଙ୍କ ଛୁଟି କାଟ ଓ ଖରା ଛୁଟିରେ ରୋଷ୍ଟର ଡ୍ୟୁଟି ନୀତିକୁ ବିରୋଧ କରିଛି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ।