ଯୌନ ନିର୍ଯ୍ୟାତନା ଅଭିଯୋଗରେ ରାସ୍ତାରେ ବସିଲେ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ପୁଣି ଅଲୋଚନାକୁ ଅସିଛି। ଏହି ଅଭିଯୋଗ ସହ ଘଟଣାକୁ ବିରୋଧ କରୁଥିବା ମହିଳା ଭାରତୀୟ କୁସ୍ତିଯୋଦ୍ଧାମାନେ ପୁଣି ଦିଲ୍ଲୀର ଜନ୍ତର ମନ୍ତରକୁ ଫେରିଛନ୍ତି। ସେମାନେ ଧାରଣା ଦେବା ସହ ପୁଲିସରେ ସାନି ଏତଲା ଦେଇଛନ୍ତି।
ଚଳିତ ବର୍ଷ ଆରମ୍ଭରେ ଏହି ଯୌନ ଶୋଷଣ ଅଭିଯୋଗ ଉଠିଥିଲା। ଫେଡେରେସନ୍ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କେନ୍ଦ୍ର ଦିଲ୍ଲୀର କନନାଟ୍ ପ୍ଲେସ୍ ଥାନାରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଏବେ ମଧ୍ୟ ସମାନ ଧରଣର ଏତଲା ହୋଇଛି। ତେବେ ଏହି ଏତଲାକୁ ଭିତ୍ତି କରି ପୁଲିସ କୌଣସି ମାମଲା ରୁଜୁ କରିନାହିଁ ବୋଲି ରେସଲର ସାକ୍ଷୀ ମଲିକ୍ କହିଛନ୍ତି। ସେପଟେ ବ୍ରିଜ ଭୂଷଣ ଗିରଫ ନହେବା ପର୍ୟ୍ୟନ୍ତ କେହି ଏଠାରୁ ହଟିବେ ନାହିଁ ବୋଲି ବରିଷ୍ଠ ରେସଲର ବଜରଙ୍ଗ ପୁନିଆ କହିଛନ୍ତି। ବିନେଶ ଫୋଗାଟ କହିଛନ୍ତି, ବାରମ୍ବାର ଚେଷ୍ଟା ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ। ତେଣୁ ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ସେମାନେ ଧାରଣାରେ ବସି ରହିବେ।
ସୂଚନା ଥାଉକି, ଅଭିଯୋଗ ପରେ ଖେଳ ମନ୍ତ୍ରଣାୟ ଚଳିତ ବର୍ଷ ଜାନୁଆରୀ ୨୩ ତାରିଖରେ ବକ୍ସିଂ କୁଇନ୍ ଏମ୍ସି ମେରୀ କମ୍ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ନିରୀକ୍ଷଣ କମିଟି ଗଠନ ହୋଇଥିଲା ଏବଂ ମାସକ ଭିତରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ମାତ୍ର ପରେ ଏହି ସମୟ ସୀମାକୁ ଆଉ ୧୫ ଦିନ ବଢ଼ାଇ ଦିଆଯାଇଥିଲା। ଏହି ସମୟରେ ବବିତା ଫଗାଟଙ୍କୁ କମିଟିର ଷଷ୍ଠ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଏହି କମିଟି ଏପ୍ରିଲ ପ୍ରଥମ ସପ୍ତାରେ ତାର ରିପୋର୍ଟ ଦେଇଥିଲା। ମାତ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏ ପର୍ୟ୍ୟନ୍ତ ଏହା ଉପରେ ଶେଷ ନିଷ୍ପତ୍ତିକୁ ସାର୍ବଜନିନ କରିନି।




admin 