ଖଡ଼ଗେଙ୍କୁ ଭେଟିଲେ ରେବନ୍ତ ରେଡ୍ଡି

ଖଡ଼ଗେଙ୍କୁ ଭେଟିଲେ ରେବନ୍ତ ରେଡ୍ଡି
ନୂଆଦିଲ୍ଲୀ: ତେଲେଙ୍ଗାନାର ଭାବି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି। ତେଲେଙ୍ଗାନା ପିସିସି ସଭପତି ରେବନ୍ତଙ୍କ ନାଁରେ ମଙ୍ଗଳବାର ମୋହର ଲଗାଇଥିଲେ କଂଗ୍ରେସ ହାଇକମାଣ୍ଡ। ଗୁରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେବନ୍ତ। ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ ପୂର୍ବରୁ ଆଜି ନୂଆଦିଲ୍ଲୀ ଗସ୍ତରେ ରେବନ୍ତ। ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ରେବନ୍ତ ରେଡ୍ଡି।
ଆଜି ସକାଳେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ ରେବନ୍ତ ରେଡ୍ଡି। ସେ ଖଡ଼ଗେଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଥିବାରୁ ସେ, କଂଗ୍ରେସ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଥିଲେ। ତେଲେଙ୍ଗାନାରେ କଂଗ୍ରେସର ବୃହତ ବିଜୟକୁ ନେଇ ରେବନ୍ତ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଖଡ଼ଗେ। ପରେ ରେବନ୍ତ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିଛନ୍ତି।
ଡିସେମ୍ବର ୭ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡି। ସୂଚନା ଅନୁସାରେ ରେବନ୍ତ, ମଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଏହାସହ ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ତେଲେଙ୍ଗାନାରେ ସରକାର ଗଠନ ଏବଂ ମନ୍ତ୍ରୀମଣ୍ଡଳ ସଂପର୍କରେ ଆଲୋଚନା କରିଥିବା କୁହାଯାଉଛି।  ରେବନ୍ତ ରେଡ୍ଡି ଚଳିତ ବିଧାନସଭା ନିର୍ବାଚରେ କୋଡଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।