ରତ୍ନଭଣ୍ଡାର ଖୋଲିବା ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ
ଭୁବନେଶ୍ବର: ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମଣତି କରାଯିବ। ଏନେଇ ଗତ ଅଗଷ୍ଟ ୪ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏପରିକି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଦ୍ବାରା ହାଇକୋର୍ଟରେ ଆଗତ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ପରିଚାଳନା କମିଟିର ସମସ୍ତ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।
ବୁଧବାର ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ଗଜପତିଙ୍କୁ ଭେଟିବା ପରେ ଗଜପତି କହିଛନ୍ତି ଯେ, ଗତ ଅଗଷ୍ଟରେ ବସିଥିବା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ରତ୍ନଭଣ୍ଡାର ଖୋଲିବା ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ। କାରଣ ଏହାପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଏ ତଥା ଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍ ଥାଏ। ବର୍ତ୍ତମାନ ସମୟରେ କିମ୍ବା ଆଗାମୀ କିଛି ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ଉଚିତ୍ ହେବ ନାହିଁ। କାରଣ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତି ମଣତି ଏବଂ ଗଣତି ସହିତ ରତ୍ନଭଣ୍ଡାରର ମରାମତି କାର୍ୟ୍ୟ କରାଗଲେ ଏହି ସମୟରେ ଶ୍ରୀମନ୍ଦିରରେ ଅନେକ ମୁଖ୍ୟ ପର୍ବପର୍ବାଣୀ ଅନୁଷ୍ଠିତ ହେଉଥିବାରୁ ଏହା ମହାପ୍ରଭୁଙ୍କ ନୀତିକ୍ରାନ୍ତି ଓ ସେବା ପୂଜାକୁ ପ୍ରଭାବିତ କରିପାରେ। ଏଥିସହ ଏହି ସମୟରେ ଶ୍ରୀମନ୍ଦିରରେ ଅଧିକ ଭକ୍ତଙ୍କ ସମାଗମ ହେଉଥିବା ଦୃଷ୍ଟିରୁ ଏହା ଦର୍ଶନରେ ମଧ୍ୟ ଅସୁବିଧା ସୃଷ୍ଟି କରିପାରେ। କାରଣ ରତ୍ନଭଣ୍ଡାର, ଜଗମୋହନ ଏବଂ ଗର୍ଭଗୃହ ସଂଲଗ୍ନ ପରିସର ଅନ୍ତର୍ଭୁକ୍ତ ଅଟେ।




admin 