ବିଦ୍ୟାଳୟରେ ଷଷ୍ଠ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ

ବିଦ୍ୟାଳୟରେ ଷଷ୍ଠ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ

ରାଇଘର: ବିଦ୍ୟାଳୟରେ ଷଷ୍ଠ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବାରୁ ଆଜି ରାତିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ପାଶବିକ ଘଟଣା ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ରହିଥିବା ସୂଚନା ମିଳିଛି। ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛି। ପୀଡ଼ିତାଙ୍କ ବାପା ଆଜି ଅପରାହ୍ନରେ ଏତଲା ଦେବାରୁ କୁନ୍ଦେଇ ଥାନା ପୁଲିସ ତନାଘନା ଜାରି ରଖିଛି।

ପ୍ରାଥମିକ ସୂଚନା ଅନୁସାରେ, ଦୁଇ ଦିନ ତଳେ (୭ତାରିଖ) ପୀଡ଼ିତାଙ୍କ ସହ ଦୁଇ ଶିକ୍ଷକ ଦୁଷ୍କର୍ମ କରିଥିଲେ। ଲୋକଲଜ୍ଜା ସହ ମାନସିକ ଆଘାତ ଯୋଗୁଁ ପୀଡ଼ିତା ସ୍କୁଲରେ ହୋଇଥିବା ଅତ୍ୟାଚାର ସଂପର୍କରେ ଘରେ କାହାକୁ କିଛି କହିନଥିଲେ। ତେବେ ଗତକାଲି ସକାଳେ ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ଦୁଷ୍କର୍ମ ସଂପର୍କରେ ଆଦୌ ମୁହଁ ଖୋଲି ନଥିଲେ। ତେଣୁ ପରିବାର ଲୋକ ଡାକ୍ତରଖାନାକୁ ନେଇ କିଛି ପେନ୍‌ କିଲର ଆଣି ଖାଇବାକୁ ଦେଇଥିଲେ। ଆଜି ସକାଳେ ପୁଣି ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନିଆଯାଇଥିଲା। ପେନ୍‌ କିଲର୍‌ ଖାଇବା ସତ୍ତ୍ବେ ଯନ୍ତ୍ରଣା କମିନଥିବାରୁ କାର୍ୟ୍ୟରତ ନର୍ସଙ୍କ ସନ୍ଦେହ ହୋଇଥିଲା। ଏକୁଟିଆ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିବାରୁ ବହୁ କଷ୍ଟରେ ଦୁଷ୍କର୍ମ ହୋଇଥିବା ପ୍ରକାଶ କରିଥିଲେ। ତୁରନ୍ତ ଏ ବିଷୟରେ ଡାକ୍ତରଙ୍କୁ ଅବଗତ କରାଯିବା ସହ କୁନ୍ଦେଇ ପୁଲିସକୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା।