ରାମାୟଣ ସହ ନୀଳକଣ୍ଠର ପକ୍ଷୀ ରହିଛି କ’ଣ ସଂପର୍କ?

ରାମାୟଣ ସହ  ନୀଳକଣ୍ଠର ପକ୍ଷୀ ରହିଛି କ’ଣ ସଂପର୍କ?

 ନୀଳକଣ୍ଠ ପକ୍ଷୀକୁ ମଧ୍ୟ ଭଗବାନ ଶିବଙ୍କ ରୂପ ବୋଲି ବିବେଚନା କରାଯାଏ। ରାବଣକୁ ବଧ କରିବା ପାଇଁ ଭଗବାନ ଶ୍ରୀରାମ ଶିବଙ୍କୁ ପୂଜା କରିଥିଲେ।ଭଗବାନ ଶ୍ରୀରାମ ‘ଶାମି’ ଗଛର ପତ୍ରକୁ ଛୁଇଁଥିଲେ ଏବଂ ନୀଳକଣ୍ଠ ପକ୍ଷୀ ଦେଖିବା ପରେ ଲଙ୍କାକୁ ଯାତ୍ରା କରିଥିଲେ । ସେହି ସମୟରେ ଭଗବାନ ଶିବ ତାଙ୍କୁ ନୀଳକଣ୍ଠ ପକ୍ଷୀ ରୂପରେ ଦେଖା ଦେଇଥିଲେ। ତେଣୁ ନୀଳକଣ୍ଠ ପକ୍ଷୀକୁ ଶିବଙ୍କ ରୂପ ବୋଲି ବିବେଚନା କରାଯାଉଥିବା କହନ୍ତି ହିନ୍ଦୁ ପୌରାଣିକ ଶାସ୍ତ୍ର ଗବେଷଣା କେନ୍ଦ୍ର ଉପାଧ୍ୟକ୍ଷ ବିଶାଲ ଶର୍ମା। ଏକଦା ଉଷ୍ମକଟିବନ୍ଧୀୟ ଅରଣ୍ୟ (ଟ୍ରପିକାଲ ଫରେଷ୍ଟ)ରେ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିବା ନୀଳକଣ୍ଠ ପକ୍ଷୀ ଚମ୍ବଲ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟତଃ ଦୃଶ୍ୟମାନ ହେଉଛନ୍ତି ଏବଂ ଆଜିର ଦିନରେ ସେମାନେ ଲୁପ୍ତପ୍ରାୟ ତଥା ବିପନ୍ନ ପକ୍ଷୀ ଭାବେ ଗଣାଯାଉଛନ୍ତି। ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯାଉଛି ଓ କଠୋର ଆଇନ ପ୍ରସ୍ତୁତ ହୋଇଛି।
ନୀଳକଣ୍ଠ ପକ୍ଷୀର ଥଣ୍ଟ ଓ ଡେଣା ତଥା କଣ୍ଠଦେଶ ନୀଳ ରଙ୍ଗ। ପରିବେଶବିତ୍‌ କହନ୍ତି, ‘‘ନୀଳକଣ୍ଠ ପକ୍ଷୀକୁ ପ୍ରାୟତଃ କିଙ୍ଗ୍‌ଫିସର ଅର୍ଥାତ ମାଛରଙ୍କା  ପକ୍ଷୀ ପ୍ରଜାତିର ବୋଲି କିଛି ଲୋକ ବିଚାର କରି ଦ୍ୱନ୍ଦ୍ୱରେ ରହିଥାନ୍ତି। ମାତ୍ର ଉଭୟ ପକ୍ଷୀ ସମ୍ପୂର୍ଣ୍ଣ ଭିନ୍ନ ପ୍ରଜାତି ଅଟନ୍ତି। ମାଛରଙ୍କା ପକ୍ଷୀର ଅନେକ ପ୍ରଜାତି, ରଙ୍ଗ ଓ ଆକାର ପ୍ରକାର ରହିଥିବା ବେଳେ ସମସ୍ତ ନୀଳକଣ୍ଠ ପକ୍ଷୀଙ୍କ ରଙ୍ଗ ଗୋଟିଏ ପ୍ରକାର ଏବଂ ଆକାର ମଧ୍ୟ ସମାନ।’’

ଏକଦା ଏହି ପକ୍ଷୀ ପଶ୍ଚିମ ଓଡ଼ିଶାର ଜଙ୍ଗଲ ମୁଖ୍ୟତଃ କର୍ଲାପାଟ, ବଲାଙ୍ଗୀର ଓ ସମ୍ବଲପୁର ସୀମାନ୍ତ ଜଙ୍ଗଲରେ ଦେଖାଯାଉଥିଲେ। ମାତ୍ର ଆଜି ଏମାନେ ଅଦୃଶ୍ୟ ହୋଇଗଲେଣି। ଏହାର ସଂରକ୍ଷଣ ଓ ସୁରକ୍ଷା ପାଇଁ ଆମେ ବର୍ତ୍ତମାନ ଯତ୍ନବାନ ହେବା ଉଚିତ, ଏହା ନହେଲେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ନୀଳକଣ୍ଠ ପକ୍ଷୀ ଅଚିରେ ଆଗାମୀ ଦିନର ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ତାପମାତ୍ରା ବୃଦ୍ଧି, ବନ୍ଧବାଡ଼ ଓ ଖଣି ଖାଦାନର ବିକାଶ ଧାରାରେ ବିଲୁପ୍ତ ହୋଇଯିବ। ଚମ୍ବଲ ପକ୍ଷୀ ଅଭୟାରଣ୍ୟର ପକ୍ଷୀ ଓ ବନ୍ୟ ପ୍ରାଣୀ ଗବେଷକ ଦେବାଶିଷ ଭଟାଚାର୍ଯ୍ୟ କହନ୍ତି, ‘‘ଚମ୍ବଲ ପାଇଁ ଖୁସି ଖବର ହେଉଛି ଯେ, ଆମେ ବିଗତ ୫ ବର୍ଷ ମଧ୍ୟରେ ଅକ୍ଳାନ୍ତ ଚେଷ୍ଟା କରି ନୀଳକଣ୍ଠ ପକ୍ଷୀ ବଂଶ ୪ ପ୍ରତିଶତ ବୃଦ୍ଧି କରିବାରେ ସଫଳ ହୋଇଛୁ।’’