ଦିନକ ପରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର: ଦିନକ ପରେ ଅର୍ଥାତ୍ ନଭେମ୍ବର ୨୦ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ଥିବାରୁ ଷ୍ଟେସନଟିକୁ ସୁନ୍ଦର ଭାବରେ ସଜେଇ ଦିଆଯାଇଛି। ରେଲୱେର ବରିଷ୍ଠ ଅଧିକାରୀ ମାନେ ଘନ ଘନ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି।
ସେହିପରି ପାହାଡପୁରଠାରେ ନିର୍ମିତ SLS ବିଦ୍ୟାଳୟରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ଏଥିସହ ଏଲ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଏହା ସହ ରାଷ୍ଟ୍ରପତି ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ସଂଧ୍ୟାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ସେଥିପାଇଁ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ସଫା ସୁତୁରା କରାଯାଇଛି। ଯେପରି ବିଦ୍ୟୁତ୍ କାଟ ନହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।
ଚଳିତ ମାସ ପ୍ରଥମ ପର୍ୟ୍ୟାୟରେ ନଭେମ୍ବର ୨୦ରୁ ୨୨ତାରିଖ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୨୬ରୁ ୨୭ତାରିଖ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଗସ୍ତ କାର୍ୟ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତମାସ ୨୦ରୁ ୨୨ତାରିଖ ପର୍ୟ୍ୟନ୍ତ ୩ଦିନ ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ । ସେହିପରି ପୁଣିଥରେ ନଭେମ୍ବର ୨୬ତାରିଖ ଅପରାହ୍ୱରେ ଭୁବନେଶ୍ୱରରେ ପହଂଚି ୨୭ତାରିଖରେ ପାରାଦୀପ ବୋଇତ ବନ୍ଦାଣ କାର୍ୟ୍ୟକ୍ରମରେ ଯୋଗ ଦେବେ ।




admin 