ଆସିବେ ମହାମହିମ

ଆସିବେ ମହାମହିମ

ନୂଆଦିଲ୍ଲୀ: ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ବିଜ୍ଞପ୍ତି ଜାରି କରିଛି। ୪ ତାରିଖ ସକାଳ ୭ଟା‌ରେ ରାଷ୍ଟ୍ରପତି ମୁର୍ମୁ ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନରେ ଆସି ପଶ୍ଚିମବଙ୍ଗର କାଲାଇକୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ‘ଏମ୍‌ଆଇ ୧୭’ରେ ବାଦାମପାହାଡ଼ ହେଲିପ୍ୟାଡ୍‌ରେ ଅବତରଣ କରି ସଡ଼କ ପଥରେ ପାହାଡ଼ପୁରରେ ପହଞ୍ଚି ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗୋସଣି ଗସ୍ତ କରିବେ। ଗୋସଣିରେ ସେ ‘ନାବାର୍ଡ’ଦ୍ବାରା ନିର୍ମାଣ ହେବାକୁ ଥିବା ‘ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ୍‌ ସ୍କୁଲ୍‌’ ପାଇଁ ହେବାକୁ ଥିବା ‘କମ୍ୟୁନିଟି ସେଣ୍ଟର୍‌’ ଓ ‘ଏଲ୍‌ ଆଣ୍ଡ୍‌ ଟି’ଦ୍ବାରା ନିର୍ମାଣ ହେବାକୁ ଥିବା ‘ସ୍କିଲ୍‌ ହବ୍‌’ର ଶିଳାନ୍ୟାସ କରିବେ।

ଏହାପରେ, ରାଷ୍ଟ୍ରପତି ସ୍କୁଲ୍‌ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରି ସଡ଼କ ପଥରେ  ସାତପୌତୁଆ ଅନ୍ତର୍ଗତ ହାଟବଦ୍ରା ବ୍ରହ୍ମାକୁମାରୀ କେନ୍ଦ୍ରକୁ ଯାଇ ସେମାନେ ଆୟୋଜନ କରିଥିବା ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଉଦ୍‌ଘାଟନ କରିବା ପରେ ରାଇରଙ୍ଗପୁର ଯିବେ। ରାଇରଙ୍ଗପୁରରେ ରାଷ୍ଟ୍ରପତି ମୁର୍ମୁ ଶ୍ରୀ ସୋନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇ ବଡ଼ବନ୍ଧ ନିକଟରେ ୧୦୦ ଫୁଟ୍‌ ଉଚ୍ଚ ଜାତୀୟ ପତାକା ଉତ୍ତୋଳନ ସ୍ତମ୍ଭ ଉଦ୍‌ଘାଟନ କରିବା ସହିତ ରାଇରଙ୍ଗପୁର ମୁନିସ୍‌ପାଲିଟି କାର୍ଯ୍ୟାଳୟ ପରିଦର୍ଶନରେ ଯିବେ। ତା’ପରେ ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତି ପୁଷ୍ପାଞ୍ଜଳି ଦେଇ ରାଇରଙ୍ଗପୁର ‌ଷ୍ଟାଡିୟମ୍‌ରେ ମୁନିପାଲିଟି ଆୟୋଜନ କରିଥିବା ରିସେପ୍‌ସନ୍‌ରେ ଯୋଗଦେବେ। ସେହିପରି, ଶୁକ୍ରବାର ଦିନ ରାଷ୍ଟ୍ରପତି ରାଇରଙ୍ଗପୁରରେ ‘ହଲିଡେ ହୋମ୍‌’ ନିମନ୍ତେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବା ପରେ ଜନ୍ମବାର୍ଷିକୀ ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ।

ସେଠାରୁ ଯଶୀପୁର ହେଲିପ୍ୟାଡ୍‌ରେ ପହଞ୍ଚି ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯିବେ ଓ ଅପରାହ୍ଣରେ ବାରିପଦା ଗେଷ୍ଟ୍‌ ହଉସ୍‌କୁ ଫେରିବେ। ଶନିବାର ଦିନ ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ‘ଶ୍ରୀରାମଚନ୍ଦ୍ର ବିହାର’ରେ ପହଞ୍ଚି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରି ବିଶ୍ବବିଦ୍ୟାଳୟର ୧୨ଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୀକ୍ଷ‌ାନ୍ତ ଭାଷଣ ଦେବେ। ସେଠାରୁ ରାଷ୍ଟ୍ରପତି ପୁଣି ପଶ୍ଚିମବଙ୍ଗର କାଲାଇକୁଣ୍ଡା ବିମାନ ବନ୍ଦରକୁ ଯାଇ ବାୟୁସେନା ବିମାନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।