ଯୁବପିଢ଼ିକୁ ପପ୍‌କର୍ଣ୍ଣ ବ୍ରେନ୍‌ ବିପଦ ଚିନ୍ତା

ଯୁବପିଢ଼ିକୁ ପପ୍‌କର୍ଣ୍ଣ ବ୍ରେନ୍‌ ବିପଦ ଚିନ୍ତା

ଆଜିର ଦ୍ରୁତଗାମୀ ଡିଜିଟାଲ ଯୁଗରେ ବିଭିନ୍ନ ସୂଚନା ନିମିଷକେ ଆମ ନିକଟରେ ଉପଲବ୍‌ଧ ହୋଇପାରୁଛି। ତେବେ ଏଭଳି ପରିବେଶରେ ଅନେକ ବ୍ୟକ୍ତି ଏକ ବିଚିତ୍ର ସ୍ଥିତି ସହ ମୁକାବିଲା କରୁଛନ୍ତି, ଯାହାକୁ ‘ପପ୍‌କର୍ଣ୍ଣ ବ୍ରେନ୍‌’ କୁହାଯାଉଛି। ଏହା ମସ୍ତିଷ୍କର ଏଭଳି ଅବସ୍ଥାକୁ ବୁଝାଉଛି, ଯେଉଁଥିରେ ଅସୀମ ଟ୍ୟାବ୍‌, କ୍ରମାଗତ ସ୍କ୍ରୋଲିଂ ଓ ବାରମ୍ବାର ବିଜ୍ଞପ୍ତି ସମ୍ବଳିତ ଉତ୍ତେଜନା ଓ ଏକସମୟ‌େର ବହୁବିଧ କାର୍ଯ୍ୟସାଧନ ସହ ମସ୍ତିଷ୍କ ଅଭ୍ୟସ୍ତ ହୋଇଯାଇଥାଏ। ଵାସିଂଟନ୍‌ ବିଶ୍ବବିଦ୍ୟାଳୟର ଗବେଷକ ଡେଭିଡ୍‌ ଲେଭି ୨୦୧୧ରେ ‘ପପ୍‌କର୍ଣ୍ଣ ବ୍ରେନ୍‌’ ଶବ୍ଦକୁ ଆଧୁନିକ ମନସ୍ତତ୍ତ୍ବବିଜ୍ଞାନରେ ଯୋଡ଼ିଥିଲେ। ମନକୁ ଆସୁଥିବା ବହୁବିଧ ଉଦ୍‌ବେଗଜନକ ଚିନ୍ତାଗୁଡ଼ିକ କିପରି ଫୁଟନ୍ତା ମକାମଞ୍ଜି ପରି ବିଶୃଙ୍ଖଳିତ ଭାବେ ବିଛାଡ଼ି ହୋଇଯାଇଥାଆନ୍ତି, ତାହାକୁ ବର୍ଣ୍ଣନା କରିବାକୁ ଯାଇ ଲେଭି ଏ ଶବ୍ଦର ଅବତାରଣା କରିଥିଲେ।

ଗବେଷଣାରୁ ଯାହା ଜଣାପଡ଼େ, ଡିଜିଟାଲ୍‌ ଯନ୍ତ୍ରପାତି ଓ ସାମାଜିକ ଗଣମାଧ୍ୟମର ବାରମ୍ବାର ବ୍ୟବହାର ମସ୍ତିଷ୍କର ସୂଚନା ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ବଦଳାଇ ଦେଉଛି। ବିଶେଷ କରି ଯୁବପିଢ଼ିଙ୍କ ଧ୍ୟାନ ଲଗାଇବା କ୍ଷମତାକୁ ଏହା ପ୍ରଭାବିତ କରୁଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ କ୍ଷୁଦ୍ର ଅବଧିର ରିଲ୍‌ ଆଦି ଦେଖିବା ବେଳେ ମାତ୍ରାଧିକ ସୂଚନା ଆମ ଧ୍ୟାନକୁ ଦ୍ରୁତ ବେଗରେ ଗୋଟିଏ ବିଷୟରୁ ଅନ୍ୟ ବିଷୟକୁ ସ୍ଥାନାନ୍ତର କରିଥାଏ। ମନସ୍ତତ୍ତ୍ବବିତ୍‌ମାନଙ୍କ ମତରେ, ସମୟକ୍ରମେ ମନୋଯୋଗରେ ବାରମ୍ବାର ପରିବର୍ତ୍ତନ ଦ୍ବାରା କୌଣସି ଗୋଟିଏ କାର୍ଯ୍ୟରେ ଦୀର୍ଘ ସମୟ ଧରି ଧ୍ୟାନ ଲଗାଇବା ଏକପ୍ରକାର ଅସମ୍ଭବ ହୋଇଯାଏ। ସାମାଜିକ ଗଣମାଧ୍ୟମମାନେ ଏକ ଆଲ୍‌ଗୋରିଦିମ୍‌ ଉପଯୋଗ କରି ବ୍ୟବହାରକାରୀଙ୍କ ନିର୍ଦ୍ଦିଷ୍ଟ ରୁଚିର ସୂଚନା ଓ ବିଜ୍ଞପ୍ତିଗୁଡ଼ିକର ନିରନ୍ତର ସ୍ରୋତ ଛାଡ଼ିଥା’ନ୍ତି। ସେଗୁଡ଼ିକ ଅଧିକ ଦେଖିବାଜନିତ ଅତିଶୟ ଉଦ୍ଦୀପନା ମସ୍ତିଷ୍କର ଗତିପଥକୁ ଅଭିଭୂତ କରିଦେଇଥାଏ। ଏପରି ଦୀର୍ଘକାଳ ଧରି ଜାରି ରହିଲେ ସାମାଜିକ ଗଣମାଧ୍ୟମ ଆମର ମସ୍ତିଷ୍କର କାର୍ଯ୍ୟକଳାପକୁ ସ୍ଥାୟୀ ଭାବରେ ବଦଳାଇଦେବାର ଆଶଙ୍କା ରହିଛି। ଏହା ଜଟିଳ ବିଶ୍ଳେଷଣ ଓ ଗମ୍ଭୀର ଚିନ୍ତାଧାରା ପାଇଁ ଲୋଡ଼ା ଏକାଗ୍ର, ଗଭୀର ଓ ଦୀର୍ଘ ମନୋଯୋଗ ନିମନ୍ତେ ମସ୍ତିଷ୍କର କ୍ଷମତାକୁ ହ୍ରାସ କରିଦେବା ସହ ସାମାଜିକ ଭାବ ବିନିମୟତା, ଭାବପ୍ରବଣତା ଓ ସାମଗ୍ର ଭାବେ ଉତ୍ପାଦକତା ପରି ଜୀବନର ବିଭିନ୍ନ ଦିଗକୁ ପ୍ରଭାବିତ କରିଥାଏ। ତେଣୁ ଏଭଳି ବିଷମ ସ୍ଥିତିକୁ ଦୂରେଇ ଦେବା ଲାଗି ଡିଜିଟାଲ୍‌ ଯନ୍ତ୍ରାଂଶରୁ ନିୟମିତ ବ୍ୟବଧାନରେ ବିଚ୍ଛିନ୍ନ ରହି କିଛି ମାନସିକ ବ୍ୟାୟାମ ଓ ଧ୍ୟାନ କୌଶଳ ଆପଣେଇବା ଗୁରୁତ୍ବପୂର୍ଣ୍ଣ। ସେହିପରି ଅନ୍‌ଲାଇନ୍‌ ହେଉ ବା ଅଫ୍‌ଲାଇନ୍‌, ଗୋଟିଏ ସମୟରେ ଗୋଟିଏ କଥା ଉପରେ ଧ୍ୟାନ ଦେବା ଦରକାର।

ଏହା ଦୀର୍ଘ ସମୟ ଧରି ଗୋଟିଏ କାମରେ ମନୋଯୋଗ ବଜାୟ ରଖିବା ଲାଗି ମସ୍ତିଷ୍କକୁ ପୁନଃତାଲିମ ଦେବାରେ ସହାୟକ ହୋଇଥାଏ। ଏଥି ସହିତ ପଢ଼ିବା, ଲେଖିବା, ଚିତ୍ର ଆଙ୍କିବା ବା ପ୍ରାକୃତିକ ପରିବେଶ ଅନୁସନ୍ଧାନ ପରି କାର୍ଯ୍ୟରେ ନିଜକୁ ଲିପ୍ତ ରଖିଲେ ମାନସିକ ଚାପ ସ୍ତର କମିଆସିବା ସହ ଧ୍ୟାନ ଓ ଜ୍ଞାନାତ୍ମକ କାର୍ଯ୍ୟକୁ ବଢ଼ାଇବାରେ ସାହାଯ୍ୟ କରିବ ବୋଲି ବିଶେଷଜ୍ଞଙ୍କ ମତ।