ଯୁକ୍ତ ତିନି କଲେଜରେ ପିଜି କୋର୍ସ ଖୋଲିବା, ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ନେଇ ସୁପାରିଶ

ଭୁବନେଶ୍ବର: ଉଚ୍ଚଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଶେଷ ହୋଇଛି। ଏଥିରେ ଯୁକ୍ତ ତିନି କଲେଜରେ ପିଜି କୋର୍ସ ଖୋଲିବା, ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ନେଇ ସୁପାରିଶ ହୋଇଥିବା ଜଣାଯାଇଛି। ବୈଠକ ସରିବା ପରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ ପିଜି, ଡିଗ୍ରି, କଲେଜ ଓ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ଓ ଅଧ୍ୟାପକ କର୍ମଚାରୀ ପଦ ଖାଲି ନେଇ ଆଲୋଚନା ହୋଇଛି। ଆମ ବିଭାଗର ପଦକ୍ଷେପ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଷ୍ଟାଣ୍ଡିଙ୍ଗ କମିଟିକୁ ଜଣାଇଲୁ।
ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି, ଅଧ୍ୟାପକ ପଦ ପୂରଣ ପାଇଁ ପ୍ରସ୍ତାବ ଦେଲୁ। ଡିଗ୍ରୀ କଲେଜରେ ପିଜି କୋର୍ସ ଖୋଲିବା ସହ ସୁବିଧା ଓ ଅସୁବିଧା ସମ୍ପର୍କରେ ମତ ରଖିଲୁ। ନାକରେ ଭଲ ସ୍କୋର କରିବା ପାଇଁ ରିସର୍ଚ୍ଚ ପାଞ୍ଚ ବର୍ଷ ଯାଏ ଭଲ ପ୍ରକାଶନ ହେବ ଓ ଭିତ୍ତିଭୂମି ଭଲ ରହିବା ଦରକାର। ସାତଟି କ୍ରାଇଟେରିଆ ଅଛି। ସବୁ କ୍ରାଇଟେରିଆ ଗୁରୁତ୍ୱପୂର୍ଣ୍ଣ।
ଏଣେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି, ନୂଆ ଶିକ୍ଷକ ଓ ଅଣଶିକ୍ଷକ ପଦ ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଛୁ। ନୂଆ କୋର୍ସ ପାଇଁ ବି ଅନୁରୋଧ କରିଛୁ। ବାଲେଶ୍ୱରରେ ପରିବେଶ ନେଇ ବହୁ ସମସ୍ୟା ଆସୁଛି। ତେଣୁ ପରିବେଶ ବିଜ୍ଞାନ ବିଭାଗ ଖୋଲିବାକୁ ପ୍ରସ୍ତାବ ଦେଇଛୁ। ସ୍ଥାନୀୟ ପରିପ୍ରେକ୍ଷୀରେ ଯେଉଁ ବିଷୟର ଆବଶ୍ୟକତା ରହିଛି, ସେହି ଅନୁସାରେ ନୂଆ କୋର୍ସ ଖୋଲିବାକୁ ଅନୁରୋଧ କରିଛୁ। ଯେଉଁ ବିଶ୍ଵବିଦ୍ୟାଳୟରେ ଯାହା ସ୍ଥାନୀୟ ଆବଶ୍ୟକତା ରହିଛି, ତାକୁ ଦେଖି କମିଟି ନୂଆ କୋର୍ସ ପାଇଁ ରାଜି ହୋଇଛି। ଫକିର ମୋହନ ବିଶ୍ୱବିଦ୍ୟାଳୟରେ ୪୭ ଅଧ୍ୟାପକ ଓ ୩୭ ଅଣଶିକ୍ଷକ ପଦ ଖାଲି ଅଛି।