ଓସ୍କାର୍ ପାଇଲା ଭାରତୀୟ ଡକ୍ୟୁମେଣ୍ଟାରି ଫିଲ୍ମ ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’

ଓସ୍କାର୍ ପାଇଲା ଭାରତୀୟ ଡକ୍ୟୁମେଣ୍ଟାରି ଫିଲ୍ମ ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’

ନୂଆଦିଲ୍ଲୀ: କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି।

 ଏହି ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ରଟି ‘ହାଓଲ୍‌ଆଉଟ୍‌’, ‘ହାଓ ଡୁ ୟୁ ମେଜର୍‌ ଏ ଇୟର୍‌?’, ‘ଦି ମାର୍ଥା ମିସେଲ୍‌ ଇଫେକ୍ଟ୍‌’ ଏବଂ ‘ଷ୍ଟ୍ରେଞ୍ଜର୍‌ ଆଟ୍‌ ଦି ଗେଟ୍‌’ ଚଳଚ୍ଚିତ୍ରଗୁଡ଼ିକ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲା ଏବଂ ଶେଷରେ ପୁରସ୍କାର ଲାଭ କରିଥିଲା।
ନିର୍ଦେଶକ ଗନ୍‌ସାଲ୍‌ଭେସ୍‌ ଏହି ‘ଓସ୍କାର୍‌’ ପୁରସ୍କାରକୁ ‘ମାତୃଭୂମି ଭାରତ’କୁ ଉତ୍ସର୍ଗ କରିଛନ୍ତି।ଟୁଇଟ୍‌ କରି ଗୁନୀତ୍‌ ମୋଙ୍ଗା ଲେଖିଛନ୍ତି: ‘‘ପ୍ରଥମ କରି ଭାରତୀୟ ପ୍ରଯୋଜନା କ୍ଷେତ୍ରରେ ଆମେ ଏଇ ମାତ୍ର ‘ଓସ୍କାର୍‌’ ପାଇଲୁ। ଦୁଇଜଣ ମହିଳାଙ୍କଦ୍ବାରା ଏହା ସମ୍ଭବପର ହୋଇଛି।’’

ଅଚିନ୍‌ ଜୈନ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କଦ୍ବାରା ପ୍ରଯୋଜିତ ଓ କାର୍ତିକି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ନିର୍ଦେଶିତ ୪୧ ମିନିଟ୍‌ର ଏହି କ୍ଷୁଦ୍ର ବୃତ୍ତଚିତ୍ରଟି ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଏକ ପରିବାର ଉପରେ ପର୍ୟ୍ୟବସିତ। ଏହି ପରିବାର ଦୁଇଟି ବାପାମାଆ ଛେଉଣ୍ଡ ହାତୀଛୁଆଙ୍କୁ ପୋଷ୍ୟ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ। ଭାରତର ଏହି ସଂକ୍ଷିପ୍ତ ବୃତ୍ତଚିତ୍ରଟି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ପ୍ରଥମ ନିର୍ଦେଶିତ ଚଳଚ୍ଚିତ୍ର।
ସୂଚନାଯୋଗ୍ୟ, ଚଳିତ ବର୍ଷ ‘ଓସ୍କାର୍ସ’ରେ ଭାରତ ସମୁଦାୟ ୩ଟି ‘ଓସ୍କାର୍‌’ ‘ନୋମିନେସନ୍‌’ ମିଳିଛି। ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ (ନାଟୁ ନାଟୁ), ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ଫିଚର୍‌ ଫିଲ୍ମ’ (ସୌନକ୍‌ ସେନ୍‌ଙ୍କ ‘ଅଲ୍‌ ଦ୍ୟାଟ୍‌ ବ୍ରିଦ୍‌ସ୍‌) ଏବଂ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ (କାର୍ତିକି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ନିର୍ଦେଶିତ ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’)।